ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର
ବେତନଟୀ, ୨୩/୬: ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇସ୍ଥିତ ଜାତୀୟ ରାଜପଥ ଉପରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବେତନଟୀ ଅଞ୍ଚଳର ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ମୃତକ ହେଉଛନ୍ତି ବେତନଟୀ ଉପକଣ୍ଠ ସଠିଲୋ ଗ୍ରାମର ସ୍ୱର୍ଗତ କନ୍ଦର୍ପ ବେହେରାଙ୍କ ପୁତ୍ର ଅଶ୍ୱପତି ବେହେରା (୨୬)। ଆହତ ଯୁବକ ହେଉଛନ୍ତି ସଠିଲୋ ଗ୍ରାମର କୁଞ୍ଜବିହାରୀ ସାହୁଙ୍କ ପୁତ୍ର ଲକ୍ଷ୍ମଣ ସାହୁ। ଉଭୟେ ବସନ୍ତ ବେହେରାଙ୍କ ପୁତ୍ର ଶିଶିର ବେହେରାଙ୍କ ନାମରେ ପଞ୍ଜୀକୃତ ଓଡି-୧୧ଏକେ-୪୪୭୨ ନମ୍ବର ବାଇକ୍ରେ ବାଲେଶ୍ୱରରୁ କାମ ସାରି ବେତନଟୀ ଫେରୁଥିଲେ। ରେମୁଣା ଗୋଲେଇ ନିକଟରେ ଏକ ଟ୍ରେଲର୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଶ୍ୱପତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ଲକ୍ଷ୍ମଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ଏବଂ ଟ୍ରେଲର୍ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଅଶ୍ୱପତିଙ୍କ ଅକାଳ ମୃତ୍ୟୁରେ ସଠିଲୋ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
