ନାବାଳିକାଙ୍କୁ ଅପହରଣ, ୨ ଗିରଫ
ଆଗରପଡ଼ା,( ନିପ୍ର) ଜିନୈକା ନାବାଳିକାଙ୍କୁ ଅପହରଣ କରିବାର କିଛି ଘଣ୍ଟା ନ ପୁରୁଣୁ ଆଗରପଡ଼ା ଥାନାଧିକାରୀ ରାଜେଶ ସେଠୀ ଅପହର୍ତ୍ତା ଓ ତାଙ୍କ ସହଯୋଗୀଙ୍କୁ ଠାବ କରି ଗିରଫ କରିବାରେ ସମର୍ଥ ହେବା ସହ ଅପହୃତାଙ୍କୁ ଉଦ୍ଧାର କରିଛନ୍ତି । ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ଗ୍ରାମର ଜନୈକା ନାବାଳିକାଙ୍କୁ କେହି ଅପହରଣ କରି ନେଇ ଥିବାର ଅଭିଯୋଗ ଥାନାରେ ହୋଇଥିଲା । ଥାନା କେସ ନଂ ୧୪୨/୨୬ ରେ ଏକ ମାମଲା ରୁଜ୍ଜୁ କରି ଥାନାଧିକାରୀ ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଥିଲେ । ସ୍ଥାନୀୟ ତ୍ରିସାଲିଆ ଗ୍ରାମରେ ନାବାଳିକାଙ୍କୁ ଆଣି ଅପହର୍ତ୍ତା ତାଙ୍କ ସଂପର୍କୀୟଙ୍କ ଘରେ ରଖିଛନ୍ତି ବୋଲି ଥାନାଧିକାରୀ ଖବର ପାଇ ଚଢ଼ାଉ କରି ଅପହର୍ତ୍ତା ଭଦ୍ରକ ଗ୍ରାମାଞ୍ଚଳ ଥାନା ମିଟୁଆଣି ଗ୍ରାମର ରାମଚନ୍ଦ୍ର ବେହେରା ଓ ସେହି ଗ୍ରାମର ସୁରେଶ ବେହେରାଙ୍କୁ ଗିରଫ କରିବା ସହ ଅପହୃତାଙ୍କୁ ଉଦ୍ଧାର କରିଥିଲେ ।
