*ଶିଶୁ ଶ୍ରମ ନିରାକରଣ ଅଭିଯାନ ଅନ୍ତର୍ଗତ ନୂଆପଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା.-୧୮/୦୬:
ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ‘ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ୱପ୍ନ ଦେଖୁ’ ଅନ୍ତର୍ଗତ ଶିଶୁ ଶ୍ରମ ଉଚ୍ଛେଦ, ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ-ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର୍) ପକ୍ଷରୁ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ପରାମର୍ଶ ଓ ଆଇଇସି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ନୂଆପଡ଼ା ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଖଡ଼ିଆର ରୋଡ଼ ଏନ୍ଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ, ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଏସସିପିସିଆର୍ର ଅଧ୍ୟକ୍ଷା ବବିତା ପାତ୍ର, ସଦସ୍ୟା କଳ୍ପନା ଲେଙ୍କା ଏବଂ ଶିଶୁ ଅଧିକାର ବିଶେଷଜ୍ଞ ତଥା ରିସୋର୍ସ ପର୍ସନ୍ ଜ୍ୟୋତିପ୍ରକାଶ ବ୍ରହ୍ମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ବୋଧନ ଦେଇଥିଲେ।
କାର୍ଯ୍ୟକ୍ରମରେ ଶିଶୁ ଶ୍ରମ (ନିଷେଧ ଓ ନିୟମନ) ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥା, ଶିଶୁ ଚାଲାଣ ପ୍ରତିରୋଧ, ଶିଶୁମାନଙ୍କର ଶୀଘ୍ର ଚିହ୍ନଟ, ଉଦ୍ଧାର, ପୁନର୍ବାସ ଓ ସମାଜର ମୂଳ ସ୍ରୋତରେ ପୁନଃସମାବେଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ସମାବେଶକୁ ସମ୍ବୋଧିତ କରି ଓଏସସିପିସିଆର୍ର ଅଧ୍ୟକ୍ଷା କହିଥିଲେ ଯେ, ଶିଶୁମାନଙ୍କର ସୁରକ୍ଷା, ଶିକ୍ଷା ଓ ସାମଗ୍ରିକ ବିକାଶ ଆମ ସମସ୍ତଙ୍କର ସର୍ବୋଚ୍ଚ ଦାୟିତ୍ୱ। ଶିଶୁମାନଙ୍କର ବିକାଶ ବିନା ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ଶିଶୁ ଶ୍ରମ ଉଚ୍ଛେଦ ଦିଗରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସେ ପ୍ରଶଂସା କରିବା ସହ ସମସ୍ତଙ୍କର ମିଳିତ ପ୍ରୟାସ ଦ୍ୱାରା ନୂଆପଡ଼ାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଭାବେ ଗଢ଼ିତୋଳା ଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ।
ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାରେ ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ, ପ୍ରବାସୀ ଶ୍ରମିକ ସଚେତନତା ଶିବିର ମାଧ୍ୟମରେ ଶିଶୁ ଶ୍ରମ ରୋକିବା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୮୦ରୁ ଅଧିକ ସଚେତନତା ଶିବିର ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା ପାଇଁ ନିୟମିତ ଭାବେ କନଭର୍ଜେନ୍ସ ବୈଠକ ଅନୁଷ୍ଠିତ ହେଉଛି। ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ପାଇଁ ସଚେତନତା, ସମନ୍ୱୟ ଓ ସମୁଦାୟର ସକ୍ରିୟ ଭାଗୀଦାରି ଅପରିହାର୍ଯ୍ୟ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ସଚିବ ନବନୀତା ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ବବିତା ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ଜାସ୍ମିନ ସାହୁ ଓ ବିଭିନ୍ନ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଏବଂ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନେ ଉପସ୍ଥିତ ଥିଲେ।
