ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ
* ଓଡ଼ିଶା ଓ ପଶ୍ଚିମବଙ୍ଗର ଭାବଗତ ସମ୍ପର୍କ ଆହୁରି ମଜଭୁତ ହେବ – ମୁଖ୍ୟମନ୍ତ୍ରୀ
* ବରଗଡ,୧୮୲ ୦୬(ନି ପ୍ର )ଭାରତ ସରକାରଙ୍କ ଶ୍ରମ,ବୟନ ଶିଳ୍ପ ଓ ଦକ୍ଷତା ବିକାଶ ସମ୍ବନ୍ଧୀୟ ସ୍ଥାୟୀ ପାର୍ଲ୍ୟାମେଣ୍ଟାରୀ କମିଟିର ଅଧ୍ୟକ୍ଷ, ସାଂସଦ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ରସରାଜ ବୋମାଇଙ୍କ ସହିତ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ଓଡ଼ିଶା ପ୍ରଦେଶ ଅନ୍ତର୍ଗତ ବରଗଡ଼ ଲୋକସଭା କ୍ଷେତ୍ରର ସାଂସଦ ପ୍ରଦୀପ ପୁରୋହିତ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ଅବସରରେ ସେମାନେ ପଶ୍ଚିମବଙ୍ଗର ନବନିର୍ବାଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ
ଶୁଭେନ୍ଦୁ ଅଧିକାରୀଙ୍କ ସାଦର ନିମନ୍ତ୍ରଣ କ୍ରମେ ସାକ୍ଷାତକରି ତାଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନାଯୋଗ୍ୟ ଯେ ପାର୍ଲ୍ୟାମେଣ୍ଟାରୀ କମିଟିର ସପ୍ତାହ ବ୍ୟାପୀ ଏହି ଗସ୍ତରେ ଓଡ଼ିଶାର ଝାରସୁଗୁଡ଼ା ତଥା ପଶ୍ଚିମବଙ୍ଗର ଦାର୍ଜିଲିଂ ଓ କଲିକତା ସାମିଲ ରହିଛି । ପଶ୍ଚିମବଙ୍ଗର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଉକ୍ତ ପ୍ରତିନିଧି ଦଳଙ୍କୁ ୧୫ ତାରିଖ ଦିନ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଉକ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରାୟ ୧୫ଜଣ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ଆପ୍ୟାୟିତ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଗସ୍ତ ଅବସରରେ ଶ୍ରମ ଆଇନର ବିଭିନ୍ନ ଦିଗ ଉପରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ସାଂସଦ ପ୍ରଦୀପ ପୁରୋହିତ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ପାଇଁ ଶ୍ରୀ ଅଧିକାରୀଙ୍କୁ ନିମନ୍ତ୍ରଣ କରିଥିଲେ। ନୃସିଂହନାଥ ଧାମର ଐତିହ୍ୟ,ଧାର୍ମିକ ମହତ୍ତ୍ୱ ଓ ଜାତୀୟ ପର୍ଯ୍ୟଟନ ସମ୍ଭାବନା ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ପ୍ରତି ଉତ୍ତରରେ ଶ୍ରୀ ଅଧିକାରୀ କହିଥିଲେ ଯେ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଦୀର୍ଘଦିନରୁ ସାଂସ୍କୃତିକ, ଭାଷାଗତ ଓ ଭାବଗତ ସମ୍ପର୍କ ରହିଆସିଛି। ଏହି ଐତିହାସିକ ବନ୍ଧନକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ଭବିଷ୍ୟତରେ ନୃସିଂହନାଥ ଧାମ ଗସ୍ତ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।ଏହି ସୌଜନ୍ୟମୂଳକ ସାକ୍ଷାତକାର ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ଓ ସାମାଜିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ବରଗଡ ସାଂସଦ ଶ୍ରୀ ପୁରୋହିତ ମଧ୍ୟ ଆଶା କରିଛନ୍ତି ।
