ଚୋରୀ ଅଭିଯୋଗରେ ଗିରଫ, ବାଇକ୍ ଉଦ୍ଧାର
ଆଗରପଡ଼ା,(ନିପ୍ର)ମଙ୍ଗଳବାର ସନ୍ଧ୍ୟାରେ ବାଇକ୍ ଚୋରୀ ଓ ରାତିରେ ଧରାପଡ଼ିଲା ଚୋର । ଆଗରପଡ଼ା ଥାନାଧିକାରୀ ରାଜେଶ ସେଠୀଙ୍କ ଉଦ୍ୟମ କ୍ରମେ ମାତ୍ର ୨ଘଣ୍ଟା ମଧ୍ୟରେ ଚୋରକୁ ଧରି ବାଇକ୍ ଉଦ୍ଧାର କରିବାରେ ସଫଳ ହୋଇଥିବାରୁ ଥାନାଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ସମସ୍ତେ ପ୍ରଂଶସା କରିଛନ୍ତି । ମଙ୍ଗଳବାର ଆଗରପଡ଼ା ରାମଗଡ଼ପଦା ରଜ ମହୋତ୍ସବ ପଡ଼ିଆରୁ ଏକ ୟାମା ବାଇକ୍ ଚୋରୀ ହୋଇଥିଲା । ଏହି ସଂପର୍କରେ ଥାନା କେସ ନଂ୧୪୨/୨୬ରେ ଏକ ମାମଲା ରୁଜ୍ଜୁ କରି ଥାନାଧିକାରୀ ବିଭିନ୍ନ ସନ୍ଦୀଗ୍ଧ ରାସ୍ତାରେ ତଲାସ କରିଥିଲେ । ଆଗରପଡ଼ା-ଆଡ଼ିଆ ରାସ୍ତାରେ ଏକ ୟାମା ବାଇକ୍ ଦ୍ରୁତ ଗତିରେ ଯାଉଥିବାର ଦେଖି ଥାନାଧିକାରୀ ଏହାକୁ ଅଟକାଇ ବାଇକ୍ ଓ ଚାଳକଙ୍କୁ ଥାନାକୁ ଆଣି ଜେରା କରିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିଥିଲା । ଏଥିରେ ସଂପୃକ୍ତ ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ଗ୍ରାମର ରବି ଓରଫ ଶରତ ଦାସଙ୍କ ପୁଅ କରନ(୨୬) ଙ୍କୁ ଗିରଫ କରିବା ସହ ଚୋରୀ ବାଇକ୍ କୁ ଉଦ୍ଧାର କରା ଯାଇଥିଲା ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। କରନ ଜଣେ ପେଶାଦାର ଲୁଟେରା । ଏଥି ପୂର୍ବରୁ ତାଙ୍କ ନାଆଁ ରେ ଧାମନଗର,କପ୍ତିପଦା ଆଦି ଥାନାରେ ମାମଲା ରହିଛି ବୋଲି ଥାନାଧିକାରୀ ଶ୍ରୀ ସେଠୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।
