ପାଣିଭଣ୍ଡାର ଗାଁରେ ରଜ ମହୋତ୍ସବ ୨୦୨୬ ପାଳିତ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ପାଗ ଅନୁକୂଳ ସତ୍ତ୍ୱେ ୩ ଦିନ ଧରି ରଜ ମହୋତ୍ସବ ପାଳିତ ହୋଇଯାଇଛି । ବ୍ଲକର ରେଣ୍ଠାପାଟ ପଞ୍ଚାୟତ ପାଣିଭଣ୍ଡାର ଗାଁରେ ୩ ଦିନ ଧରି ପ୍ରଥମ ବାର୍ଷିକ ରଜ ମହୋତ୍ସବ ସ୍ୱତନ୍ତ୍ର ନିଆରା ଓ ପରମ୍ପରା ଅନୁଯାୟୀ ପାଳିତ ହୋଇଛି ।ଗାଁର ମା ବୁଢ଼ୀ ଠାକୁରାଣୀ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଆନୁକୁଲ୍ୟରେ ରଜ ମହୋତ୍ସବ ଆୟୋଜନ କରାଯାଇଥିଲା ।ଓଡ଼ିଶାର ପାରମ୍ପାରିକ ଗଣପର୍ବକୁ ଆଜି ପର୍ଯ୍ୟନ୍ତ ଲୋକ ମାନେ ଭୁଲି ଯାଇନଥିବା ବେଳେ ବର୍ଷରେ ଥରେ ଆସିଥିବା ଏହି ପର୍ବକୁ ସରସ ସୁନ୍ଦର କରିବା ପାଇଁ ମନରେ ଅନେକ ଆଶା କର୍ମୀ ଓ ଉତ୍ସାହ ପରିଲକ୍ଷିତ ହୋଇଥାଏ ।ରଜରେ ଝିଅ ବୋହୂ ମାନଙ୍କ ଦୋଳି ଖେଳ ସ୍ୱତନ୍ତ୍ର ରହିଥିବା ବେଳେ ଏହା ସାଙ୍ଗକୁ ରଜପାନ ,ବିଭିନ୍ନ କିସମର ପିଠା ମିଠା ଓ ଅନ୍ୟ ମନପସନ୍ଦର ସ୍ୱାଦିଷ୍ଟ ଖାଦ୍ୟ ଖାଇବା ବାଣ୍ଟିବା ଆନନ୍ଦ ଆସିଥାଏ । ଏହି ପର୍ବରେ ଗ୍ରାମର ମହିଳା ,ଯୁବ ଗୋଷ୍ଠି, କିଶୋରୀ ବାଳିକା ମାନଙ୍କ ମଧ୍ୟରେ ନାଚ ଗୀତ ସାଙ୍ଗକୁ ରଜ ଗୀତ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଦର୍ଶକ ମାନେ ଉପଭୋଗ କରିଥିଲେ । ଏତଦ୍ ବ୍ୟତୀତ ଗଛ ଲଗାଇବା , ପାଇଖାନା ବ୍ୟବହାର ,ପରିଷ୍କାର ପରିଚ୍ଛନ୍ନତା , ଵିଶୁଦ୍ଧ ପାନୀୟ ଜଳ ବ୍ୟବହାର , ଜଙ୍ଗଲରେ ନିଆଁ ଦାଉରୁ ରକ୍ଷା କରିବା ,ପାଚିଲା ଆମ୍ବ , ପଣସ , ତାଳ ପ୍ରଭୃତି ସାମଗ୍ରୀକୁ ଲୋକ ମାନେ ଲୋଭରେ ଜଙ୍ଗଲକୁ ନଯାଇ କିପରି ହାତୀ ଦାଉରୁ ନିଜକୁ ରକ୍ଷା କରିବା ଏହିପରି ଲୋକଙ୍କ କେତେକ ସମସ୍ୟା ଉପରେ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ରଜ ଉତ୍ସବରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିବା ବେଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ଦଳର ଜିଲ୍ଲା ସଭାନେତ୍ରୀ ତଥା ପରଜଙ୍ଗ ବ୍ଲକ ଉପାଧ୍ୟକ୍ଷା ଯଶସ୍ଵିନୀ ରାଉତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଜଣାଶୁଣା ଯୁବ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ରାଉତ ,ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ନାୟକ ,ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳୀ ମହାସଂଘର କୋଷାଧକ୍ଷ ଅଭୟ କୁମାର ସାହୁ , ଉପଦେଷ୍ଟା ମୁନା ବାବା ,ସରୋଜ ସାହୁ , କପିଳ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ଗ୍ରାମର ମା ବୁଢ଼ୀ ଠାକୁରାଣୀ କ ଓ ଖ , ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର କଳାକାର ,ଗ୍ରାମ୍ୟ କମିଟି ସଭାପତି ପୀତବାସ ପରିଡା ସମ୍ପାଦକ ଜ୍ଞାନେନ୍ଦ୍ର ରାଉତ ଓ ସମସ୍ତ କମିଟି ସଦସ୍ୟ ,ଯୁବ ଗୋଷ୍ଠି ଗ୍ରାମବାସୀଙ୍କ ସହଯୋଗରେ ଶୃଙ୍ଖଳାର ସହ ରଜ ମହୋତ୍ସବ ପର୍ବ ପାଳିତ ହୋଇଥିଲା । ମା ବୁଢ଼ୀ ଠାକୁରାଣୀ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ସଭାନେତ୍ରୀ ସବିତା ବେହେରା ,ସମ୍ପାଦିକା ନୟନା ନାୟକ , ବାୟକ ସୁଶାନ୍ତ ରଣା ସମେତ ଅନ୍ୟ ସମସ୍ତ ସଦସ୍ୟା ମାନଙ୍କ ନେତୃତ୍ୱରେ ପ୍ରଥମ ବାର୍ଷିକ ରଜ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି
