ସହରର ସିସିଟିଭି କ୍ୟାମେରା ଅଚଳ, ଚିନ୍ତାରେ ପୋଲିସ
ଆଗକୁ ତାଳଚେର ଗଣପର୍ବ ସହିତ ପଞ୍ଚାୟତ ଓ ପୌର ନିର୍ବାଚନ
ତାଳଚେର ୧୧/୬,(ନିପ୍ର) ତାଳଚେର ପୌରାଞ୍ଚଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁନଥିବା ଜଣାପଡିଛି। ବର୍ଷ ବର୍ଷ ଧରି କ୍ୟାମେରା ଅଚଳ ଅବସ୍ଥାରେ ଥିବା ବେଳେ ଏହାର ମରାମତି କରାଯାଉନି କିମ୍ବା ନୁଆ ଲଗାଯାଉନି। ପୋଲିସ ବି ଏ ଦିଗରେ କୌଣସି ପଦେକ୍ଷପ ନେଉନଥିବାରୁ ସହରରେ ଦିନକୁ ଦିନ ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଅଚଳ ସିସି କ୍ୟାମେରାକୁ କାର୍ଯ୍ୟକ୍ଷମ କରିବା ଜରୁରୀ ସୋଇପଡ଼ିଛି। ତାଳଚେର ଏକ ଶିଳ୍ପ ସମୃଦ୍ଧ ସହର। ସବୁ ବେଳେ ବ୍ୟସ୍ତବହୁଳ ଥିବା ଏହି ସହରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ଏଡେଜି କୋର୍ଟ, ଉପଖଣ୍ଡ କାରାଗାର, ଉପଖଣ୍ଡ ଡ଼ାକ୍ତରଖାନା, ସମସ୍ତ ବ୍ୟାଙ୍କ, ବସଷ୍ଟାଣ୍ଡ ସହିତ ଅନେକ ଶିକ୍ଷାନୁଷ୍ଠାନ ରହିଛି। ଏହାସହ ଏଠାରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟାଳୟ ରହିଛି। ଏଠାରୁ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିବା ଓ ଖଣିଖାଦାନ ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଟ୍ରକ୍ କୋଇଲା ପରିବହନ ହୋଇଥାଏ। ଯାହାକୁ ନେଇ ସର୍ବଦା ଲୋକଙ୍କ ଭିଡ଼ ଲାଗିଥାଏ। ଲୋକଙ୍କ ଭିଡ଼ ଭିତରେ ଚୋରି,ଗୋଣ୍ତଗଳ ସମେତ ଅପରାଧୀକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସହର ସମେତ ତାଳଚେର ଉପଖଣ୍ଡ ଅଞ୍ଚଳ ର ସିସି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା। ତିନି ବର୍ଷ ପୂର୍ବେ ସହର ସହିତ ଉପଖଣ୍ଡ ଅଞ୍ଚଳ ରେ ୧୨୪ଟି ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଥିଲା। ସହରର ପ୍ରବେଶ ଓ ପ୍ରସ୍ଥାନ ପଥ, ଗୋପାଳପ୍ରସାଦ ହିଙ୍ଗୁଳା ମନ୍ଦିର ଠାରୁ ଆରମ୍ଭ କରି ସାଉଥ୍ ବଲଣ୍ତା,ଏଫ୍ ସିଆଇ, ଥର୍ମାଲ ବଲ୍ହର ଛକ,ଗୋଡିବନ୍ଦ ଛକ ଏବଂ କୋଇଲା ଖଣିର ସମସ୍ତ କୋଲ୍ କରିଡ଼ର ରାସ୍ତା , ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲାଗିଥିଲା। ଏହାର ମୁଖ୍ୟ କଣ୍ଟ୍ରୋଲ ରୁମ୍ ତାଳଚେର ଏସ୍ଡିପିଓଙ୍କ କାର୍ଯ୍ୟାଳୟ , ପ୍ରତି ଥାନା ଓ ତାଳଚେର ପୌରପରିଷଦ କାର୍ଯ୍ୟଳୟରେ ରହିଥିଲା। ପୌରପରିଷଦରେ ରହିଥିବା କଣ୍ଟ୍ରୋଲ ରୁମ୍ ର ଏଲ୍ଇତିରେ ପୁରା ସହର ଚିତ୍ର ନିୟନ୍ତ୍ରଣ କରାଯାଉଥିଲା । ସେହି ଭଳି ଥାନା ରେ ରହିଥିବା କଣ୍ଟ୍ରୋଲ ରୁମ୍ ର ଏଲ୍ଇତିରେ ନିଜ ନିଜ ଅଞ୍ଚଳର ରହିଥିବା ଅପରାଧୀକୁ ନିୟନ୍ତ୍ରଣ କରାଯାଉଥିଲା। ସେହିଭଳି ଏସ୍ଡିପିଓଙ୍କ କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମ୍ ରେ ସମୋଗ୍ର ତାଳଚେର ଉପଖଣ୍ଡ କୁ ନିୟନ୍ତ୍ରଣ ହେଉଥିଲା। ମାତ୍ର ଦୂର୍ଭାଗ୍ୟ ଯେ, କ୍ୟାମେରା ଲାଗିବାର ବର୍ଷକ ପରେ ରକ୍ଷଣାବେକ୍ଷଣା ନହେବାରୁ ଅକାମୀ ହୋଇଗଲା। ବର୍ତ୍ତମାନ ସବୁ ସିସି କ୍ୟାମେରା ଖରାପ ହୋଇ ଖୁଣ୍ଟରେ ଝୁଲି ରହିଛି। ଯାହାର ସୁଯୋଗ ନେଇ ଠକ୍ ଓ ବାଇକ୍ ଲୁଟେରା ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାଇକ୍, ଖଣିରୁ ଡିଜେଲ ଏବଂ କୋଇଲା ଚୋରି ବୃଦ୍ଧି ପାଉଛି। ସାମ୍ପ୍ରତିକ ସମୟରେ ସିସି କ୍ୟାମେରା ପୋଲିସ ତଦନ୍ତର ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ସହର ସମେତ ଗ୍ରାମାଞ୍ଚଳରେ ଭିଡ଼ ବଢ଼ିବ। ଏହା ସହ ରଥଯାତ୍ରା ଏବଂ ତାଳଚେର ମୂଖ୍ୟ ପର୍ବ ଗଣେଶ ପୂଜା ଓ ଦୂର୍ଗା ପୂଜା ଆସୁଥିବାରୁ ଲୋକଙ୍କ ଭିଡ଼ ବଢିବା, ଗୋଣ୍ତଗଳ , ହିଂସାକାଣ୍ଡ ଆଶଂକାଙ୍କୁ ବି ଏଡ଼ାଇ ଦେଇପାରିବ ନାହିଁ। ତେଣୁ ସହର ସମେତ ଉପଖଣ୍ଡ ଅଞ୍ଚଳକୁ ସିସିଟିଭି କ୍ୟାମେରା ସୁରକ୍ଷା ବଳୟ ଭିତରେ ରଖାଯିବା ଜରୁରୀ ସୋଇପଡ଼ିଛି।
