ସମଲାଇପଦର ନର୍ସରୀର ନିଛାଟିଆ କୁଅରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର, ହତ୍ୟା ଉଦ୍ୟମ ଅଭିଯୋଗ
ବରଗଡ :୧୧/୦୬(ନି ପ୍ର )ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ନର୍ସରୀ ଅଞ୍ଚଳର ଏକ ନିଛାଟିଆ କୁଅରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତ ରବିବାର ପୂର୍ବାହ୍ନ ପ୍ରାୟ ୩ଟା ସମୟରେ ପାଞ୍ଚଜଣ ବ୍ୟକ୍ତି ତାଙ୍କୁ ମାଡ଼ ମାରିଥିଲେ। ପରେ ସେ ମୃତ ବୋଲି ଭାବି ତାଙ୍କୁ ଉକ୍ତ କୁଅ ମଧ୍ୟରେ ପକାଇ ଦେଇ ଚାଲିଯାଇଥିବା ସେ ଅଭିଯୋଗ କରିଛନ୍ତି। କୁଅ ଭିତରେ ଚାରି ଦିନ ଧରି ଭୋକ ଓ ଉପବାସରେ ରହି ସେ ଜୀବନ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି।
ବୁଧବାର ଦିନ ସମଲାଇପଦର ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲ ଅଞ୍ଚଳକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୁଅ ଭିତରୁ ଜଣେ ଲୋକଙ୍କ ଚିତ୍କାର ଶୁଣିଥିଲେ। ସେ ତୁରନ୍ତ ଗ୍ରାମକୁ ଫେରି ଏହି ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲେ। ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳକୁ ପହଞ୍ଚି ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ପ୍ରୟାସ ପରେ କୁଅ ଭିତରୁ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ପଦ୍ମପୁର ଅଞ୍ଚଳ ପୁରେନା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ତାଙ୍କର ପରିଚୟ ଓ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।
