ସାରସକଣା/ଜାମଶଳା (ଅନିଲ କୁମାର ସାହୁ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଖଡିଆଶୋଲ ଗ୍ରାମର ଅଭିଷେକ ପାତ୍ର ନାମକ ବ୍ୟକ୍ତିଙ୍କ ମଟରସାଇକଲଟି ଏପ୍ରିଲ୍ ମାସ ୫ତାରିଖରେ କିଛି ଦୁବୃର୍ତ୍ତ ଚୋରି କରି ନେଇଥିଲେ।ଯାହାକୁ ନେଇ ଝାରପୋଖରିଆ ଥାନାରେ ୮୬/୨୫ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିଲା।ଯାହାକୁ ନେଇ ତଦନ୍ତ ପରେ ଶନିବାର ୬ ଜଣ ଅଭଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ପୁଲିସ ସୂଚନା ମୁତାବକ, ଗତ ଏପ୍ରିଲ୍ ମାସ ୫ ତାରିଖ ରାତିରେ ଖଡିଆଶୋଲ ଗ୍ରାମରୁ ବାରିପଦା ଅଞ୍ଚଳର ବ୍ରଜତୁଣ୍ଡି ଗ୍ରାମର ଜଗନ୍ନାଥ ମହାନ୍ତ (୨୫) ଓ ବାରିପଦା ଦେଉଳିସାହିର ସିଦ୍ଧେଶ୍ୱର ବାରିକ(୨୨) ନାମକ ଦୁଇବ୍ୟକ୍ତି ମଟରସାଇକେଲ ଚୋରି କରି ନେଇ ଥିଲେ। କେସିପୂର୍ ଅଞ୍ଚଳର ଗୋପାଳ ମୁର୍ମୁ (୪୩) ନାମକ ବ୍ୟକ୍ତି ଜଣକ ଉକ୍ତ ମଟରସାଇକେଲକୁ ବିଭିନ୍ନ ପ୍ରକାର ରୂପ ବଦଲାଇଥିଲେ, ଶଙ୍ଖାଭଙ୍ଗା ଅଞ୍ଚଳର ଦେବଚାର୍ୟ୍ଯ ଘୋଷ (୨୧) ନାମକ ଯୁବକଙ୍କୁ ବିକ୍ରୀ କରିଥିଲେ।ତେବେ ସବୁଠାରୁ କୌତୁକର ବିଷୟ ମଟରସାଇକେଲ କିଣିବା ଖୁସିକୁ ବ୍ୟକ୍ତ କରିବା ପାଇଁ ଯୁବକ ଜଣଙ୍କ ନିଜ ଇନଷ୍ଟାଗ୍ରାମ ଆଇଡିରେ ଚୋରୀ ମଟରସାଇକେଲ ପୋଷ୍ଟ କରିଥିଲେ।ଏହାକୁ ନେଇ ପୁଲିସ ତଦନ୍ତ କରି ମଟରସାଇକେଲ କିଣି ଥିବା ବ୍ୟକ୍ତିଙ୍କୁ ପଚାରା ଉଚୁରା କରି ଅପରାଧୀକୁ ଧରିବାରେ ସଫଳ ହୋଇଥିଲେ।ଗୋପାଳ ମୁର୍ମୁ ଗାଡ଼ିର ନମ୍ୱର ବଦଲାଇ ପୁଣି ଉକ୍ତ ବାଇକକୁ କେସିପୁର୍ ଅଞ୍ଚଳର ଆକାଶ ଆଣ୍ଟନି ଓ ଲୋରେନ୍ସ ଆଣ୍ଟନି ନାମକ ଦୁଇ ଭାଇଙ୍କୁ ଉକ୍ତ ଗାଡିକୁ ବିକ୍ରୀ କରିଥିଲେ।ପୁଲିସ ଦେବଚାର୍ୟ୍ଯ ଘୋଷଙ୍କୁ ଧରିବା ସହ ଚାପ ପକାଇବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ଏବଂ ଘଟଣାରେ ଜଡିତ ଉକ୍ତ ୬ ଜଣ ଅଭଯୁକ୍ତଂକୁ ଝାରପୋଖରିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।ତେବେ ସମସ୍ତ ଚୋରି,ଡକାୟତ ଘଟଣାର ତଦନ୍ତ ଚାଲିଥିବା ନେଇ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
