**ନୂଆପଡ଼ା ଖରିଆର ରୋଡ଼ ଏନ୍ଏସିରେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ l*
ନୂଆପଡା (ମିଖାଏଲ ନନ୍ଦ)
ତା-୧୦/୦୬:
ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି), ଖରିଆର ରୋଡ଼ ପକ୍ଷରୁ ୱାର୍ଡ ନମ୍ବର–୦୨ଓ ୦୩ ଠାରେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ସହରାଞ୍ଚଳ ବିକାଶ ପ୍ରକ୍ରିୟାରେ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଏହି ଅବସରରେ ଏନ୍ଏସି ଅଧ୍ୟକ୍ଷା ଡ଼. ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଦାଗା, ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା, କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ସେମାନଙ୍କର ସମସ୍ୟା, ଅଭିଯୋଗ, ମତାମତ ଓ ବିକାଶ ସମ୍ପର୍କିତ ପ୍ରସ୍ତାବଗୁଡ଼ିକ ସଂଗ୍ରହ କରାଯାଇଥିଲା।
କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା, ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା, ପରିବେଶ ସୁରକ୍ଷା, ନାଗରିକ ସେବା ଏବଂ ସରକାରଙ୍କ ପ୍ରମୁଖ ଫ୍ଲାଗସିପ୍ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ସେହିପରି ନାଗରିକଙ୍କ ଅଭିଯୋଗ ଶୁଣାଣି, ଜନସଚେତନତା ଅଭିଯାନ, ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ଓ ନଗର ବିକାଶରେ ଜନଭାଗିଦାରୀ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଖରିଆର ରୋଡ଼ ଏନ୍ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ୯ ଜୁନ୍ ଠାରୁ ୨୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏଭଳି ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଦୁଇଟି ୱାର୍ଡର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏହି ସଭାକୁ ଆସିଥିଲେ।ଏହି ସଭାରେ ସ୍ଥାନୀୟ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସମସ୍ତେ ମିଶି କାମ କରିବାକୁ ସଂକଳ୍ପ ନେଇଥିଲେ। ଲୋକମାନେ ନିଜ ନିଜର ସମସ୍ୟା ଅଧିକାରୀମାନଙ୍କୁ ଜଣାଇଥିଲେ। ସହରର ଉନ୍ନତି ପାଇଁ ଏଭଳି କାର୍ଯ୍ୟକ୍ରମ ବହୁତ ଜରୁରୀ ବୋଲି ସମସ୍ତେ କହିଥିଲେ।
