ସୋର ରେ *ଆମ ତହସିଲ ଆମ ଗାଁରେ* କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଅନ୍ତର୍ଗତ ବାଲେଶ୍ଵର ଜିଲ୍ଲା ସୋର ତହସିଲ ଅଧୀନସ୍ଥ ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ଆମ ତହସିଲ ଆମ ଗାଁ ରେ’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଲୋକଙ୍କୁ ସେମାନଙ୍କ ଗ୍ରାମ ନିକଟରେ ସରକାରୀ ସେବା ଯୋଗାଇଦେବା ଏବଂ ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ଏହି ବିଶେଷ ଶିବିରର ଆୟୋଜନ କରାଯାଇଥିଲା। ଆମ ତହସିଲ ଆମ ଗାଁରେ କାର୍ଯ୍ୟକ୍ରମ ଅଧୀନ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଫିସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୋର ତହସିଲଦାର କୃଷ୍ଣ ମୋହନ ସିଂହଙ୍କ ସହ ଅତିରିକ୍ତ ତହସିଲଦାର ସଂଜୀବ କୁମାର ପାତ୍ର, ସୁପରଭାଇଜର ମାନସ କୁମାର ବେହେରା, ସେକ୍ସନ ଅଫିସର ହିମାଂଶୁ ଶେଖର ପଣ୍ଡା, ମଙ୍ଗଳପୁର ଆରଆଇ ରବିନାରାୟଣ ସିଂ , ଆରଆଇ ଦିଲ୍ଲୀପ କୁମାର , ଡିଇଓ ପ୍ରଦୀପ ରଞ୍ଜନ ଦାସ, କବିତା ଦାସ ପ୍ରମୁଖ ସହଯୋଗ କରିଥିଲେ।ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ନିଜ ନିଜର ସମସ୍ୟା ନେଇ ପହଞ୍ଚିଥିଲେ।
କାର୍ଯ୍ୟକ୍ରମ ଅବସରରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଜମି ଜମା ମାମଲାର ତ୍ୱରିତ ଶୁଣାଣି କରାଯାଇଥିଲା। ଏଥିସହିତ ବହୁ ସଂଖ୍ୟାରେ ମ୍ୟୁଟେସନ (ନାମଜାରୀ) ମାମଲାର ସମାଧାନ, ଜମି ପଟ୍ଟା ବଣ୍ଟନ, ଜାତିଗତ ଓ ଆୟ ପ୍ରମାଣପତ୍ର କେସ-ର ମାମଲା ଗୁଡ଼ିକର ସମାଧାନ ସ୍ଥଳରେ ହିଁ କରାଯାଇଥିଲା।
ଲୋକମାନଙ୍କୁ ଆଉ ବାରମ୍ବାର ତହସିଲ ଅଫିସ ଦୌଡ଼ିବାକୁ ପଡ଼ୁ ନଥିବାରୁ ଏବଂ ନିଜ ପଞ୍ଚାୟତରେ ଏହି ସେବା ପାଉଥିବାରୁ ସ୍ଥାନୀୟ ଜନସାଧାରଣ ସରକାର ଓ ତହସିଲ ପ୍ରଶାସନର ଏହି ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଅନ୍ୟ ସମସ୍ତ ପଞ୍ଚାୟତରେ ମଧ୍ୟ ଏହିପରି ଶିବିର କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।
