କଳାହାଣ୍ଡିର ପ୍ରଖ୍ୟାତ ଶିଶୁରୋଗ ବିଶେଷଜ୍ଞ ଡା. ପଲାଉ ପ୍ରଧାନଙ୍କ ପରଲୋକ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଅତ୍ୟନ୍ତ ଦୁଃଖ ଓ ଶୋକ ସହ ଜଣାଉଛି ଯେ କଳାହାଣ୍ଡିର ଜଣେ ସୁପରିଚିତ ଏବଂ ଲୋକପ୍ରିୟ ଶିଶୁରୋଗ ବିଶେଷଜ୍ଞ ଡା. ପଲାଉ ପ୍ରଧାନ (ଏମ୍.ଡି.) ଆଉ ଆମ ମଧ୍ୟରେ ନାହାନ୍ତି। ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଏକ ହୋଟେଲରେ ଭୟଙ୍କର ହୃଦଘାତରେ ତାଙ୍କର ପରଲୋକ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ସେ ନିଜ ପରିବାର ସହ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ। ଆଜି ପ୍ରଭାତରେ ସେ ଅସ୍ୱସ୍ଥ ଅନୁଭବ କରିଥିଲେ। ଏକ କପ୍ ଚା ପିଇ ପୁନର୍ବାର ବିଶ୍ରାମ ନେଇଥିଲେ, କିନ୍ତୁ ସେହି ନିଦ୍ରା ତାଙ୍କ ଜୀବନର ଶେଷ ନିଦ୍ରା ହୋଇ ରହିଗଲା।
ଡା. ପ୍ରଧାନ କେବଳ ଜଣେ ଦକ୍ଷ ଚିକିତ୍ସକ ନୁହେଁ, ସେ ଅନେକ ପରିବାର ପାଇଁ ଆଶା ଓ ଭରସାର ପ୍ରତୀକ ଥିଲେ। ତାଙ୍କର ନିଷ୍ଠା, ମାନବିକତା, କରୁଣା ଓ ନିଃସ୍ୱାର୍ଥ ସେବା ତାଙ୍କୁ ସାଧାରଣ ଡାକ୍ତରଙ୍କଠାରୁ ଅଲଗା ପରିଚୟ ଦେଇଥିଲା। ପ୍ରତ୍ୟେକ ରୋଗୀଙ୍କୁ ସେ ସମ୍ମାନ ଓ ସ୍ନେହ ସହିତ ଚିକିତ୍ସା କରୁଥିଲେ ଏବଂ ତାଙ୍କର ସହାନୁଭୂତିଶୀଳ ବ୍ୟବହାର ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା।
ତାଙ୍କର ବିୟୋଗ କେବଳ ଚିକିତ୍ସା ଜଗତ ପାଇଁ ନୁହେଁ, ସମଗ୍ର କଳାହାଣ୍ଡି ପାଇଁ ଏକ ଅପୂରଣୀୟ କ୍ଷତି। ସେ ଅସଂଖ୍ୟ ଶିଶୁଙ୍କ ଜୀବନକୁ ସୁସ୍ଥ କରିଛନ୍ତି ଏବଂ ଅନେକ ପରିବାରର ମୁହଁରେ ହସ ଫୁଟାଇଛନ୍ତି।
ତାଙ୍କର ସ୍ନେହ, ପରାମର୍ଶ ଓ ସେବାକୁ ମୁଁ ସଦା ସ୍ମରଣ କରିବି।
ଏହି ଦୁଃଖଦ ସମୟରେ ଆମେ ଡା. ପ୍ରଧାନଙ୍କ ପରିବାରବର୍ଗଙ୍କ ପ୍ରତି ଆମର ଗଭୀର ସମବେଦନା ଜ୍ଞାପନ କରୁଛୁ। ମାଆ ମାଣିକେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ସେ ଶୋକସନ୍ତପ୍ତ ପରିବାରକୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ।
