ରାସ୍ତା ପରିବର୍ତ୍ତେ ଚାଷ ଜମିକୁ କଂକ୍ରିଟ ରାସ୍ତା ନିର୍ମାଣ ଅଭିଯୋଗ, ଗ୍ରାମବାସୀଙ୍କ ପ୍ରତିବାଦ
ଦେବଗଡ଼, ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତର ବଡ଼ତୋଇଲା ଗ୍ରାମରେ କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, RGI ଯୋଜନାରେ ଗ୍ରାମର ମୁଖ୍ୟ ରାସ୍ତାର ଉନ୍ନତି ପାଇଁ କଂକ୍ରିଟ ରାସ୍ତା ମଞ୍ଜୁର ହୋଇଥିଲେ ମଧ୍ୟ, ପ୍ରକୃତ ଆବଶ୍ୟକତା ଥିବା ରାସ୍ତାକୁ ଛାଡ଼ି ଚାଷ ଜମି ଆଡ଼କୁ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣାକୁ ନେଇ ସୋମବାର ଗ୍ରାମବାସୀମାନେ ବାରକୋଟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସହକାରୀ ଯନ୍ତ୍ରୀ ସୁବ୍ରତ ମାଝୀ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖି ତଦନ୍ତ କରିଥିଲେ। ତେବେ ପରବର୍ତ୍ତୀ ସମୟରେ କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁଣିଥରେ କାମ ଆରମ୍ଭ ହେବାରୁ ଗ୍ରାମବାସୀମାନେ ଏହାର ବିରୋଧ କରିଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ପ୍ରତିଦିନ ଛୋଟ ଛୋଟ ଶିଶୁ ଓ ଗ୍ରାମବାସୀମାନେ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ବର୍ଷା ଋତୁରେ ରାସ୍ତାଟି କାଦୁଅ ଓ ପାଣିରେ ପରିପୂର୍ଣ୍ଣ ହୋଇଯାଉଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଗ୍ରାମର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଥମେ ମୁଖ୍ୟ ରାସ୍ତାର ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି।
ଗ୍ରାମବାସୀମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତୁରନ୍ତ ଗ୍ରାମର ଆବଶ୍ୟକ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ନହୁଏ, ତେବେ ସେମାନେ ପୁଣିଥରେ ପ୍ରଶାସନର ଦ୍ୱାରସ୍ଥ ହେବା ସହ ଆନ୍ଦୋଳନର ପଥ ବାଛିବେ।
ଅନ୍ୟପକ୍ଷରେ, କନିଷ୍ଠ ଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ନିୟମ ଅନୁଯାୟୀ ଓ ଉପଯୁକ୍ତ ସ୍ଥାନରେ କରାଯାଉଥିବା ନେଇ ସଫାଇ ଦେଇଛନ୍ତି। ସହକାରୀ ଯନ୍ତ୍ରୀ ସୁବ୍ରତ ମାଝୀ କହିଛନ୍ତି ଯେ, ଆଗାମୀ ଦିନରେ ଅନ୍ୟ କୌଣସି ଯୋଜନା କିମ୍ବା ତହବିଲ ମାଧ୍ୟମରେ ଗ୍ରାମର ମୁଖ୍ୟ ରାସ୍ତାର ଉନ୍ନତି କରିବା ପାଇଁ ପଦକ୍ଷେପ ନିଆଯିବ।
ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଜାରି ରହିଥିବା ବେଳେ, ସ୍ଥାନୀୟ ପ୍ରଶାସନ ଏହାର କିପରି ସମାଧାନ କରୁଛି ଏବଂ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି କେବେ ପୂରଣ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଦେବଗଡ଼ ରୁ ସୁରେଶ ଙ୍କୁ ରିପୋର୍ଟ।
