*କୋମନା ଡାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହର ଅବସ୍ଥା ଶୋଚନୀୟ:*
ନୂଆପଡା(ମିଖାଏଲ ନନ୍ଦ)
ତା-୦୩ /୦୬
:ନୂଆପଡ଼ା ଜିଲ୍ଲା କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଶବ ବ୍ୟବଚ୍ଛେଦ ଗୃହ (ମର୍ଗ) ର ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି। ଦୀର୍ଘ ଦିନ ଧରି ଏହାର ରକ୍ଷଣାବେକ୍ଷଣ ଅଭାବରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ଶବ ବ୍ୟବଚ୍ଛେଦ ଗୃହର କାନ୍ଥ ଏବଂ ଛାତ ଫାଟି ଆଁ କରିଥିବା ବେଳେ ଏହାର ଭିତର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଗୃହରେ ଲାଇଟ୍ ଏବଂ ପାଣିର ସଠିକ୍ ବ୍ୟବସ୍ଥା ନଥିବା ଯୋଗୁଁ ରାତି ସମୟରେ ଶବ ବ୍ୟବଚ୍ଛେଦ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଏହା ସହିତ ଫ୍ରିଜ୍ ଅଚଳ ହୋଇ ପଡ଼ିଥିବାରୁ ଶବ ରଖିବା ସମ୍ଭବ ହେଉନାହିଁ, ଯାହା ଫଳରେ ଦୁର୍ଗନ୍ଧ ବ୍ୟାପି ସ୍ଥାନୀୟ ପରିବେଶ ଦୂଷିତ ହେଉଛି।ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାକୁ ଆସିବା ସମୟରେ ଏଭଳି ଦୁର୍ଦ୍ଦଶା ଦେଖି ଅତିଷ୍ଠ ହୋଇପଡ଼ୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଗୃହର ତୁରନ୍ତ ମରାମତି ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।
