ସାରସକଣା/ଜାମଶଳା (ଅନୀଲ କୁମାର ସାହୁ) :- ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତ ଅବସରରେ ଲୋକଙ୍କ ଆଗରେ ସବୁ ତଥ୍ୟ ରଖିବାକୁ ବିଜେପି ନିଷ୍ପତ୍ତି ନେଇଛି।ସରକାରଙ୍କ କାମ ସହ ନିଜ ପାଣ୍ଠିରୁ କି କାମ ହୋଉଛି ତା’ର ହିସାବ ଦେବେ।ଯାହା ପ୍ରତିଶ୍ରୁତି ଦେଇଥିଲୁ କରୁଛୁ।ସଂକଳ୍ପ ପତ୍ରରେ ଯାହା କହିଥିଲୁ ସେଥିରୁ ପୂରଣ କରିଛୁ।ନିର୍ବାଚନମଣ୍ଡଳୀରେ ବିକାଶ ମୂଳକ କାମ ପାଇଁ ଏ ପ୍ରକଳ୍ପ ହାତକୁ ନେଇଛୁ,ଆଉ ଏତିକି ପ୍ରକଲ୍ପ କାମ ଚାଲୁ ରହିଛି।ଲୋକଙ୍କୁ ଏମିତି ଟିକିନିଖି ରିପୋର୍ଟ କାର୍ଡ ଦେବେ ବିଜେପିର ସାଂସଦ ଓ ବିଧାୟକ।ଏହା ସହ ଆଗାମୀ ୪ ବର୍ଷରେ ଆଉ କ’ଣ କାମ କରିବେ ତା’ର ମଧ୍ୟ କାର୍ଯ୍ୟ ସୂଚୀ ଲୋକଙ୍କ ନିକଟରେ ରଖିବେ।ବର୍ଷକ ତଳେ ୨୪ ବର୍ଷର ନବୀନ ସରକାରକୁ ପରାସ୍ତ କରି ବିଜେପି କ୍ଷମତାକୁ ଆସିଥିଲା।ବିଜେପି ଶାସନ ଡୋରି ଧରିବା ପରେ ନିର୍ବାଚନ ସମୟରେ ସଂକଳ୍ପପତ୍ରରେ ଦେଇ ଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ କାମ ଆରମ୍ଭ ହେଲା।ଆସନ୍ତା ଜୁନ୍ ୧୨ ତାରିଖରେ ମୋହନ ସରକାରଙ୍କୁ ଵର୍ଷେ ପୂରିବାକୁ ଯାଉଥିବା ବେଳେ ସାଂସଦ ଓ ବିଧାୟକ ମାନେ ନିଜ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ବର୍ଷକ ମଧ୍ୟରେ ହୋଇଥିବା କାମର ହିସାବ ଦେବାକୁ ଦଳ ନିର୍ଦ୍ଦେଶ ଦେଇଛି।ନିଷ୍ପତ୍ତି ଅନୁସାରେ ନିର୍ବାଚନ ମଣ୍ଡଳୀରେ ବିଧାୟକ ମାନେ ଏକ ସଭାର ଆୟୋଜନ କରିବେ।ଏ ସଭାରେ ସାଂସଦଙ୍କ ସହ ନିଜେ ଉପସ୍ଥିତ ରହି କ’ଣ କାମ କରିଛନ୍ତି ଲୋକଙ୍କୁ ଅବଗତ କରାଇବେ।ଏପରିକି ଏ ସୂଚନାସମ୍ବଳିତ ଲିଫଲେଟ୍ ମଧ୍ୟ ବାଣ୍ଟିବେ।ଲୋକଙ୍କ ସରକାର ଭାବେ ଲୋକଙ୍କ ସହ ରହିବାକୁ ବିଜେପି ସ୍ଥିର କରିଛି।ରିପୋର୍ଟ କାର୍ଡ ରଖି ଲୋକଙ୍କ ଭରସା ଓ ଆସ୍ଥା ଅତୁଟ ରଖିବା ଉପରେ ଦଳ ଜୋର ଦେଉଛି।ଏପରିକି ବିଧାୟକ ମାନେ ନିଜ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତିଙ୍କୁ ମଧ୍ୟ ଦେବେ ବୋଲି ଜଣାପଡିଛି।ଏହା ଦ୍ବାରା ଲୋକମାନେ ନିଜ ପ୍ରତିନିଧିଙ୍କ କାର୍ଯ୍ୟକଳାପ ଓ ଦକ୍ଷତା ସଂପର୍କ ଭଲ ଭାବରେ ଜାଣିପାରିବେ।ଦଳ ମଧ୍ୟ ବିଧାୟକମାନଙ୍କ କାମକୁ ତର୍ଜମା କରିପାରିବ।ମନ୍ତ୍ରୀ ମାନଙ୍କ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ପରଖିଛନ୍ତି।ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ବେଳେ ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଓ ଏହି ରିପୋର୍ଟ କାର୍ଡକୁ ବିଚାରକୁ ନିଆଯିବ ବୋଲି ଜଣାପଡିଛି।