ତିନିମାସର ଭତ୍ତା ଅପେକ୍ଷାରେ ୫୧୫୪ ଜଣ ହିତାଧିକାରୀ
___________________
ତା/୦୩/୦୬/୨୬:(ନି.ପ୍ର): ସାରସକଣା:(ଅନିଲ କୁମାର ସାହୁ): ମୟୂରଭଞ୍ଜ ଜିଲ୍ଲା ଉପାନ୍ତ ସାରସକଣା ବ୍ଲକର ୧୭ ଗୋଟି ପଞ୍ଚାୟତର ମୋଟ ୧୫୬୮୨ ଜଣ ଭତ୍ତା ହିତାଧିକାରୀ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଭତ୍ତା ପାଉଛନ୍ତି । ଓଡ଼ିଶା ସରକାରଙ୍କ ଭତ୍ତା ଯୋଜନା ମଧୁବାବୁ ପେନସନ ଯୋଜନାରେ ମୋଟ ୧୦୫୨୮ ଜଣ ବିଭିନ୍ନ ପ୍ରକାରର ଭତ୍ତା ନିଜନିଜ ଗ୍ରାମ ପଞ୍ଚାୟତ ମଧ୍ୟରେ ମାସକୁ ମାସ ପାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଭତ୍ତା ଯୋଜନା ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୫୧୫୪ ଜଣଙ୍କ ମଧ୍ୟରୁ ବାର୍ଦ୍ଧକ୍ୟ ରେ ୩୧୮୮ ଜଣ , ବିଧବାରେ ୧୭୨୯ ଜଣ, ଭିନ୍ନକ୍ଷମ ରେ ୨୩୭ ଜଣ ଯଥା କ୍ରମେ ମାସକୁ ୧୦୦୦ ଓ ୮୦ ବର୍ଷୀୟ ବୟସ ସହିତ ୮୦ ଶତାଂଶ ଭିନ୍ନକ୍ଷମ ମାସକୁ ୩୫୦୦ ଟଙ୍କା ହିତାଧିକାରୀ ବ୍ୟାଙ୍କ ତଥା ପୋଷ୍ଟ ଅଫିସ ଜମା ସଞ୍ଚୟ ଖାତା D. B.T ମାଧ୍ୟମରେ ପାଇ ଆସୁଛନ୍ତି । ହେଲେ ଉକ୍ତ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଭତ୍ତା ଯୋଜନାରେ ସାରସକଣା ବ୍ଲକର ସମସ୍ତ ହିତାଧିକାରୀ ଗଣ ଆଜକୁ ତିନି ମାସ ହେଲା ତାଙ୍କ ସଞ୍ଚୟ ଖାତାକୁ ଯାଇନାହିଁ । ଫଳରେ ବୃଦ୍ଧାବୃଦ୍ଧ, ବିଧବା , ଅସହାୟ, ଭିନ୍ନକ୍ଷମ ହିତାଧିକାରୀ ମାନେ ପ୍ରବଳ ଗରମ ଗୁଳଗୁଳି ମଧ୍ୟରେ ଖର୍ଚ୍ଚାନ୍ତ ହୋଇ ବ୍ଲକ ତଥା ବ୍ୟାଙ୍କ ଦୌଡ଼ି ଦୌଡ଼ି ପଇସା ନ ପାଇ ହଇରାଣ ହରକତ ହୋଇ ଘରକୁ ଫେରୁଛନ୍ତି ।ଭତ୍ତା ନ ମିଳୁଥିବା ବେଳେ ହିତାଧିକାରୀ ଗଣ ଘରୁ ବ୍ୟାଙ୍କକୁ ଗାଡ଼ି ଭଡ଼ା ଖର୍ଚ୍ଚ କରି ଯାଇ ଟଙ୍କା ନ ପାଇ ନିରାଶ ହୋଇ ଫେରୁଛନ୍ତି । ଫଳରେ ହିତାଧିକାରୀ ଭତ୍ତା ଟଙ୍କା ନ ପାଉ ଥିବାରୁ ସେମାନେ ମାସ ମାସ ଚଳିବା ଓ ପରିବାର ଭରଣ ପୋଷଣ କରିବାରେ ବହୁ ବାଧାବିଘ୍ନ ଘଟୁଥିବାର ଏ ନେଇ ଚିନ୍ତାରେ ରହିଛନ୍ତି । ଏହାକୁ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହନ୍ତି ସଫ୍ଟୱେୟାର ବ୍ୟତିକ୍ରମ ଥିବାରୁ ଜମା ଖାତା ଗୁଡ଼ିକରେ ଭତ୍ତା ପ୍ରଦାନ କରିବା ଅସୁବିଧା ହେଉଛି । ଯାହା ହେଉ ଏ ମଧ୍ୟରେ ସମସ୍ତ ବ୍ୟାଙ୍କ ଖାତା ଧାରୀ ହିତାଧିକାରୀଙ୍କୁ ତାଙ୍କ ବକେୟା ଭତ୍ତା ସହିତ ଚଳିତ ମାସର ଭତ୍ତା ପ୍ରଦାନ କରାଯିବାର ସରକାର ଯଥା ଶୀଘ୍ର ବନ୍ଦୋବସ୍ତ କରୁଛନ୍ତି । ଭଞ୍ଜଦୁତ ଖବର।
