ଗରିବ ଆଦିବାସୀଙ୍କୁ ପଲିସି ନାଁରେ ଠକେଇ ଅଭିଯୋଗ, ଦୁଇ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ବାରିପଦା, : ମୟୂରଭଞ୍ଜ ଜିଲ୍ଲାର ଉରା ଚନ୍ଦାବିଲା ଗ୍ରାମରେ ଗରିବ ଆଦିବାସୀ ପରିବାରଙ୍କୁ ବୀମା ପଲିସି ନାମରେ ଠକେଇ କରାଯାଇଥିବା ଅଭିଯୋଗକୁ ନେଇ ସୋମବାର ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁସାରେ ବାରିପଦା ସ୍ଥିତ ଏଣ୍ଡ୍ରୋମେଡା କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ଗ୍ରାମକୁ ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ।
ସୂଚନା ଅନୁଯାୟୀ, ଉକ୍ତ କର୍ମଚାରୀମାନେ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ଏବଂ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିବାର ପ୍ରଲୋଭନ ଦେଖାଇ ଅଭିଭାବକମାନଙ୍କୁ ବାରିପଦା ସ୍ଥିତ କାର୍ଯ୍ୟାଳୟକୁ ଡାକିଥିଲେ। ସେଠାରେ ସେମାନଙ୍କୁ ବୀମା ପଲିସି କରିବା ପାଇଁ ପ୍ରବର୍ତ୍ତାଇ ଟଙ୍କା ନିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଅଧିକାଂଶ ଲୋକ ଅଶିକ୍ଷିତ କିମ୍ବା ଅର୍ଦ୍ଧଶିକ୍ଷିତ ହୋଇଥିବାରୁ ସେମାନେ ସମ୍ପୂର୍ଣ୍ଣ ବିଷୟ ବୁଝିପାରିନଥିଲେ ଏବଂ କର୍ମଚାରୀଙ୍କ କଥାରେ ବିଶ୍ୱାସ କରି ଟଙ୍କା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେବା ପରେ ଗ୍ରାମବାସୀ ଏକଜୁଟ ହୋଇ କର୍ମଚାରୀମାନଙ୍କୁ ଅଟକ ରଖି ଟଙ୍କା ଫେରସ୍ତ ଦାବି କରିଥିଲେ। ଅଭିଯୋଗ ଅନୁଯାୟୀ, ଟଙ୍କା ଫେରସ୍ତ କରାଯିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।
ଏହି ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଦିନମଜୁରିଆ ଏବଂ ଗରିବ ଆଦିବାସୀ ପରିବାରମାନେ କଷ୍ଟ ଉପାର୍ଜିତ ଅର୍ଥରେ ଜୀବନ ନିର୍ବାହ କରୁଥିବା ବେଳେ ସେମାନଙ୍କୁ ପ୍ରଲୋଭନ ଓ ଭୟ ଦେଖାଇ ବୀମା ପଲିସି କରାଇବା ଅନୁଚିତ।
ଏହି ଘଟଣା ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କୁ ସଚେତନ ରହିବାକୁ ଆହ୍ୱାନ କରାଯାଇଛି। କୌଣସି ଯୋଜନା, ପଲିସି କିମ୍ବା ଆର୍ଥିକ ନିବେଶ ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବା ସହ ନିୟମ ଓ ସର୍ତ୍ତାବଳୀ ବୁଝିବା ପରେ ମାତ୍ର ଅର୍ଥ ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ପରାମର୍ଶ ଦେଇଛନ୍ତି।
ଉପରୋକ୍ତ ଖବର ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରିତ। ସମ୍ପୃକ୍ତ କମ୍ପାନୀ କିମ୍ବା କର୍ମଚାରୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।
