ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ତୃତୀୟ ପର୍ଯ୍ୟାୟ ଆରମ୍ଭ : ଦେବଗଡ଼ରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଦେବଗଡ଼ : ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ନେଇ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଏଜଲିନ ବାରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।
ଏହି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାମାନଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ସହ ଅଯୋଗ୍ୟ, ସ୍ଥାନାନ୍ତରିତ କିମ୍ବା ମୃତ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବିଲୋପ କରିବା। ଏହାସହ ନକଲି ନାମ ଚିହ୍ନଟ କରି ଭୋଟର ତାଲିକାକୁ ସଠିକ୍, ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଛି।
ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ, ୧୮ ବର୍ଷ ବୟସ ପୂରଣ କରିଥିବା ସମସ୍ତ ଯୋଗ୍ୟ ଭାରତୀୟ ନାଗରିକ ମତଦାତା ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ।
ଆସନ୍ତା ମେ ୩୦ ତାରିଖରୁ ଜୁନ୍ ୨୮ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୩୩୮ ଜଣ BLO ଘରେ ଘରେ ପହଞ୍ଚି ମତଦାତାଙ୍କ ସୂଚନା ସଂଗ୍ରହ କରିବେ। ଏହି ସମୟରେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ ପ୍ରଦାନ କରାଯିବ। ଫର୍ମ ପୂରଣରେ କୌଣସି ସମସ୍ୟା ହେଲେ BLO ମାନେ ସମ୍ପୃକ୍ତ ଭୋଟରଙ୍କୁ ସହାୟତା ଯୋଗାଇଦେବେ ବୋଲି ସୂଚନା ଦିଆଯାଇଛି।
ସେହିପରି, ଜୁନ୍ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମ୍ପନ୍ନ ହେବ। ଜୁଲାଇ ୫ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ, ଜୁଲାଇ ୫ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ଶୁଣାଣି ଏବଂ ନୋଟିସ ପର୍ଯ୍ୟାୟ ଚାଲିବ। ଶେଷରେ ସେପ୍ଟେମ୍ବର ୭ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାରଙ୍କ ସହ ବିଭିନ୍ନ ସାମ୍ବାଦିକ ଉପସ୍ଥିତ ଥିଲେ।
