ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ସ୍ଵତନ୍ତ୍ର ସଘନ ସଂଶୋଧନ’ (ଏସ.ଆଇ.ଆର ) ତାଲିମ
ବରଗଡ :୨୮/୦୫(ନି ପ୍ର )ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା ବରଗଡ଼, ଅତାବିରା, ଭେଡ଼େନ,ଭଟଲି, ସୋହେଲା, ଅମ୍ବାଭୋନା, ବରପାଲି, ଗାଇସିଲାଟ, ବିଜେପୁର, ରାଜବୋରାସମ୍ବର, ପାଇକମାଲ, ଝାରବନ୍ଧ ପଞ୍ଚାୟତ ସମିତିଠାରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସୁପରଭାଇଜରମାନଙ୍କ ନିମନ୍ତେ ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର) ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ଘର-କୁ-ଘର Enumeration Form ବଣ୍ଟନ ଏବଂ ସଂଗ୍ରହ, ଭୋଟର ତାଲିକାର ଯାଞ୍ଚ ଏବଂ ତ୍ରୁଟି ସଂଶୋଧନ, ନୂଆ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ପାଇଁ ଦାବି/ଆପତ୍ତି ପ୍ରକ୍ରିୟା, ସ୍ବତନ୍ତ୍ର ମ୍ୟାପିଂ ଏବଂ ଡାଟା ଏଣ୍ଟ୍ରି ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଥିଲା । ସେହିପରି ୧୯୫୦ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବରର ଓ ବିଭିନ୍ନ Voters Service Portal ଗୁଡିକର ବ୍ୟବହାର ଆଦି ବିଭିନ୍ନ ବିଷୟରେ ମଧ୍ୟ ବୁଥସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କୁ ସଚେତନ କରାଯାଇଥିଲା ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଘରକୁ ଘର ଯାଇ ଏସ.ଆଇ.ଆର ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବୁଥସ୍ତରୀୟ ଅଧିକାରୀ ଏବଂସୁପରଭାଇଜରମାନଙ୍କୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜୁଲାଇ ୧ ତାରିଖକୁ ଯୋଗ୍ୟ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ୨୦ ମେ ରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ । ୩୦ ମେ ରୁ ୨୮ ଜୁନ ୨୦୨୬ ମଧ୍ୟରେ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ । ଏହା ସହିତ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ସୁବିଧାଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବାକୁ ଥିବାବେଳେ, ୦୫ ଜୁଲାଇ ୨୦୨୬ ରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ସମ୍ପର୍କିତ ଶୁଣାଣି ମାଧ୍ୟମରେ ଫଇସଲା କରାଯିବ । ଦାବି ଓ ଆପତ୍ତିର ଫଇସଲା ୦୨ ସେପ୍ଟେମ୍ବର ସୁଦ୍ଧା କରାଯିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ ।
