*‘ହର ଘର ଜଳ’ ପ୍ରମାଣପତ୍ରରେ ରାଜ୍ୟରେ ଶୀର୍ଷରେ ନୂଆପଡ଼ା: ଜଳ ଓ ପରିମଳ ମିଶନ ବୈଠକରେ ପାନୀୟ ଜଳକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୬/୦୫:
ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ଜଳ ଓ ପରିମଳ ମିଶନ (DWSM)ର ୧୮ତମ ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ଅନିଲ କୁମାର ଲେଙ୍କା, ସମସ୍ତ ବିଡିଓ, ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାର ପାନୀୟ ଜଳ ଯୋଗାଣ, “ହର ଘର ଜଳ” କାର୍ଯ୍ୟକ୍ରମ ଓ ପରିମଳ ସମ୍ବନ୍ଧୀୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ବିଡିଓଙ୍କୁ ପାନୀୟ ଜଳ ସମସ୍ୟାର ସମାଧାନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନୂଆପଡ଼ା ଜିଲ୍ଲା “ହର ଘର ଜଳ” ପ୍ରମାଣପତ୍ରରେ ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବୈଠକରେ ସୂଚନା ଦିଆଯାଇଥିଲା। ଜଳ ଜୀବନ ମିଶନ ଅଧୀନରେ ଜିଲ୍ଲାର ସମସ୍ତ ୬୩୪ଟି ଗ୍ରାମକୁ “ହର ଘର ଜଳ” ପ୍ରମାଣପତ୍ର ପ୍ରଦାନ କରାଯାଇଥିବାରୁ ନୂଆପଡ଼ା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହୋଇଛି। ଏହି ସଫଳତା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସୁରକ୍ଷିତ ଓ ପାନଯୋଗ୍ୟ ପାଇପ ଜଳ ଯୋଗାଣ ଦିଗରେ ଜିଲ୍ଲାର ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରତିଫଳିତ କରୁଛି।
ଜିଲ୍ଲାପାଳ “ବର୍ତନ ବ୍ୟାଙ୍କ” ର ସମୀକ୍ଷା କରିଥିଲେ ଏବଂ ଏହାର ସଫଳ ପରିଚାଳନା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ଅବସରରେ ଗ୍ରାମୋଦୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଘୋଷଣା କରିଥିଲେ ଯେ ପାନୀୟ ଜଳ ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ସମାଧାନ ପାଇଁ “ପାନୀୟ ଜଳ ଅଦାଲତ” ଗ୍ରାମ ଓ ସହରାଞ୍ଚଳରେ ଅନୁଷ୍ଠିତ ହେବ। ପ୍ରତି ସୋମବାର ଗ୍ରାମାଞ୍ଚଳରେ ଏବଂ ପ୍ରତି ବୁଧବାର ସହରାଞ୍ଚଳର ୱାର୍ଡଗୁଡ଼ିକରେ ଏହି ଅଦାଲତ ଅନୁଷ୍ଠିତ ହୋଇ ଲୋକଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ବୈଠକ ଶେଷରେ ଜିଲ୍ଲାପାଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ।
