*ନୂଆପଡ଼ାରେ ପ୍ରଥମ ସିଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଭଲିବଲ ଓ କବାଡି ପ୍ରତିଯୋଗିତା ଉଦ୍ଯାପିତ*
*ଜୋନାଲ ପ୍ରତିଯୋଗିତା ପାଇଁ ଜିଲ୍ଲା ଦଳ ଗଠନ।**
ନୂଆପଡ଼ା( ମିଖାଏଲ ନନ୍ଦ)
ତା. ୨୬/୦୫:
ନୂଆପଡ଼ା ଜିଲ୍ଲାରେ ପ୍ରଥମ ସିଏମ୍ ଟ୍ରଫି-୨୦୨୬ ଅନ୍ତର୍ଜିଲ୍ଲା ବାଳକ ଓ ବାଳିକା ବିଭାଗର ଜିଲ୍ଲାସ୍ତରୀୟ କବାଡି ଓ ଭଲିବଲ ପ୍ରତିଯୋଗିତା ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।
ପ୍ରତିଭା ଅନେକ, ଲକ୍ଷ୍ୟ ଏକ – ପଡ଼ିଆରୁ ପୋଡିୟମ” ସ୍ଲୋଗାନକୁ ପାଥେୟ କରି ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୧୪ ବର୍ଷରୁ କମ ଓ ୧୫ ବର୍ଷରୁ କମ ବୟସର ଶତାଧିକ ଖେଳାଳି ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରି ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ଅଭିଜ୍ଞ କ୍ରୀଡା ଶିକ୍ଷକ, କବାଡି ଓ ଭଲିବଲ ବିଚାରକମାନଙ୍କ ଦ୍ୱାରା ସମସ୍ତ ଖେଳ ପରିଚାଳିତ ହୋଇଥିଲା।
ଗତକାଲି ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ପ୍ରସାଦ ବଢାଇ, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ ନୂଆପଡ଼ା ଜିଲ୍ଲାର କ୍ରୀଡା ପ୍ରତିଭା ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରୁଥିବା ଉଲ୍ଲେଖ କରିଥିଲେ।
ପ୍ରତିଯୋଗିତାର ଫଳାଫଳ ଅନୁଯାୟୀ, ବାଳିକା ଭଲିବଲ ବିଭାଗରେ ବ୍ଲୁ ଦଳ ଚାମ୍ପିୟନ ଓ ଇଣ୍ଟ୍ରା ରେଡ୍ ଦଳ ରନର୍ସ ଅପ୍ ହୋଇଥିଲା। ବାଳକ ଭଲିବଲ ବିଭାଗରେ ଇଣ୍ଟ୍ରା ବ୍ରାଉନ୍ ଦଳ ଚାମ୍ପିୟନ ହୋଇଥିବାବେଳେ ସିନାପାଲିର ଇଣ୍ଟ୍ରା ବ୍ଲୁ ଦଳ ରନର୍ସ ଅପ୍ ହୋଇଥିଲା।
ସେହିପରି କବାଡି ବାଳିକା ବିଭାଗରେ ନାଗାବଳୀ ଥଣ୍ଡର୍ସ ଦଳ ଚାମ୍ପିୟନ ଓ ମହାନଦୀ ମାଷ୍ଟର୍ସ ଦଳ ରନର୍ସ ଅପ୍ ହୋଇଥିଲା। କବାଡି ବାଳକ ବିଭାଗରେ ମହାନଦୀ ମାଷ୍ଟର୍ସ ଦଳ ଚାମ୍ପିୟନ ହୋଇଥିବାବେଳେ ଇନ୍ଦ୍ରାବତୀ ଲାୟନ୍ସ ଦଳ ରନର୍ସ ଅପ୍ ହୋଇଥିଲା।
ଏହି ପ୍ରତିଯୋଗିତାରୁ ଚୟନିତ ଖେଳାଳିମାନଙ୍କୁ ନେଇ ଜିଲ୍ଲା ଦଳ ଗଠନ କରାଯାଇଛି। ଏହି ଦଳ ଆଗାମୀ ଦିନରେ ପୁରୀ, ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସୂଚନା ଦେଇଥିଲେ।
ଉଦ୍ଯାପନୀ ଉତ୍ସବରେ ବିଜେତା ଓ ରନର୍ସ ଅପ୍ ଦଳଗୁଡ଼ିକୁ ଟ୍ରଫି ପ୍ରଦାନ କରାଯାଇଥିଲା। ପରିଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତ ଖେଳାଳି, ବିଚାରକ, ଅତିଥି, ଆୟୋଜକ, ମିଡିଆ ପ୍ରତିନିଧି ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
