ରାଜ୍ୟ ସରକାରଙ୍କ ଜିଲ୍ଲା ପ୍ରଭାରୀ ମନ୍ତ୍ରୀଙ୍କ ଦେବଗଡ଼ ଗସ୍ତ : ବିକାଶମୂଳକ କାର୍ଯ୍ୟର ସମୀକ୍ଷା
ଦେବଗଡ଼ : ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ତଥା ଦେବଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ଗସ୍ତ ସମୟରେ ସେ ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଡଳ ଗ୍ରାମପଞ୍ଚାୟତର ବାଲିପୋଷି ହସ୍ତଶିଳ୍ପ କେନ୍ଦ୍ର, ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏବଂ କଳାମାଟିସ୍ଥିତ ବଣିଆ କିଲିଣ୍ଡା ଏଣ୍ଟରପ୍ରାଇଜେସ ପରିଦର୍ଶନ କରିଥିଲେ। ସେଠାରେ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କର ସୁବିଧା ଓ ଅସୁବିଧା ବିଷୟରେ ପଚାରି ବୁଝିଥିଲେ।
ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ଦେବଗଡ଼ ଜିଲ୍ଲାର ସମଗ୍ର ବିକାଶ ପାଇଁ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ନୂତନ ରାସ୍ତା ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଲକ୍ଷ୍ୟପତି ଦିଦି, ଅଟଳ ପେନସନ ଯୋଜନା, ନୂତନ ରାସନ କାର୍ଡ ବଣ୍ଟନ, ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଭଳି ବିଭିନ୍ନ ଯୋଜନାକୁ ଗୁରୁତ୍ୱ ଦେଇ କାର୍ଯ୍ୟକରିଛନ୍ତି।
ଏହା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡ଼ିଆ ଓ ଛାତ୍ରାବାସ ବ୍ୟବସ୍ଥା, ଜଙ୍ଗଲ ଅଧିକାର, ନୂତନ ପ୍ରକଳ୍ପ ମଞ୍ଜୁରୀ, ଛାତ୍ରବୃତ୍ତି ବଣ୍ଟନ, ଉଦ୍ୟାନ କୃଷି, ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ, ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ, ମୃତ୍ତିକା ସଂରକ୍ଷଣ ଓ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା।
ସମୀକ୍ଷା ବୈଠକରେ ଦେବଗଡ଼ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ, ବନଖଣ୍ଡ ଅଧିକାରୀ ମିସ୍ ରଶ୍ମି ଜି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଧୀରଜ ଚପରଦାର, ଉପଜିଲ୍ଲାପାଳ ଶ୍ରୀ ପରୀକ୍ଷିତ ସାହୁ, ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଉପସ୍ଥିତ ଥିଲେ।
ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।
