ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଲା ଗ୍ରାମପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ ।
ଶିବିରରେ ମୋଟ ୬୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ, ସେଥିରୁ ୩୪ଟି ବ୍ୟକ୍ତିଗତ ଏବଂ ୨୬ଟି ସାମୂହିକ ଅଭିଯୋଗ ଥିବା ଜଣାପଡ଼ିଛି । ପାନୀୟ ଜଳ ସମସ୍ୟା, ସୁଭଦ୍ରା ଯୋଜନାର ସୁବିଧା, ୦.୦୪ ଘରବାରି ପଟ୍ଟା ପ୍ରଦାନ, ସି.ସି. ରୋଡ଼ ଓ ଷ୍ଟ୍ରିଟ୍ ଲାଇଟ୍ର ଉନ୍ନତିକରଣ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଲୋକମାନେ ଉପସ୍ଥାପନ କରିଥିଲେ ।
ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଶୁଣିବା ପରେ ଜିଲ୍ଲାପାଳ ତୁରନ୍ତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଶିବିରରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଏସିଏଫ୍ ଅରୁଣ କୁମାର ବେହେରା, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ କୁମାର ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ବରିହା, ତହସିଲଦାର ରବୀନ୍ଦ୍ର ସାମଲ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
