ବାରିପଦାରେ ନଗର ଉନ୍ନତି ପାଇଁ ୭ଟି ପ୍ରକଳ୍ପର ଶିଳାନ୍ୟାସ, ରଘୁନାଥପୁରରେ ନିର୍ମାଣ ହେବ ବିଶାଳ ଗୋଶାଳା
ବାରିପଦା, ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରର ସାମଗ୍ରିକ ଉନ୍ନତି ଓ ନାଗରିକ ସୁବିଧାର ବିକାଶ ପାଇଁ ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ବାରିପଦାର ୭ଟି ସ୍ଥାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ଅବସରରେ ବାରିପଦାର ରଘୁନାଥପୁର ଅଞ୍ଚଳରେ ଏକ ବିଶାଳ ଗୋଶାଳା ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଛି। ଏହି ଗୋଶାଳା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୬ କୋଟି ୭୯ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ କରାଯିବ। ବାରିପଦା ସହର ପାଇଁ ଏହା ପ୍ରଥମ ବୃହତ୍ ଗୋଶାଳା ପ୍ରକଳ୍ପ ହେବାକୁ ଯାଉଛି, ଯାହା ଗୋସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।ବେଦମନ୍ତ୍ର ଉଚ୍ଚାରଣ ଓ ପାରମ୍ପରିକ ପୂଜାର୍ଚ୍ଚନା ମଧ୍ୟରେ ମନ୍ତ୍ରୀ ଡା. ମହାପାତ୍ର ଏହି ପ୍ରକଳ୍ପର ଆକଳନ ଫଳକ ଉନ୍ମୋଚନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି କାନ୍ଦ୍ରା ସୋରେନ, ବାରିପଦା ନଗରପାଳ କୃଷ୍ଣା ନନ୍ଦ ମହାନ୍ତି, ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ସହ ବହୁ ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।ଏହି ପ୍ରକଳ୍ପ କାର୍ଯ୍ୟକରୀ ହେଲେ ବାରିପଦାରେ ଗୋସେବା ପାଇଁ ଏକ ସୁଦୃଢ଼ ଭିତ୍ତି ସୃଷ୍ଟି ହେବା ସହ ନଗର ଉନ୍ନତିରେ ଆହୁରି ଗତି ଆସିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।
