ମୟୂରଭଞ୍ଜ ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର ଆରମ୍ଭ
ବାରିପଦା, ମୟୂରଭଞ୍ଜ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଦୁଇ ଦିନିଆ ଏକ ପ୍ରଶିକ୍ଷଣ ଶିବିରର ଆଜି ଭବ୍ୟ ଉଦ୍ଘାଟନ ହୋଇଛି। ଏହି ପ୍ରଶିକ୍ଷଣ ଶିବିର ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।ଏହି ଶିବିରରେ ମୋଟ ୧୨ଟି ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥିରେ ବିଜେପିର ପୃଷ୍ଠଭୂମି, ଦଳର ଇତିହାସ, ସରକାରଙ୍କ ସଫଳତା ସହ ବିଭିନ୍ନ ସଂଗଠନାତ୍ମକ ବିଷୟ ଉପରେ ରାଜ୍ୟସ୍ତରୀୟ ନେତୃତ୍ୱ ଓ ବକ୍ତାମାନେ ପ୍ରଶିକ୍ଷଣ ଦେବେ।କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଦୀପ ପ୍ରଜ୍ୱଳନ କରି ଶିବିରର ଶୁଭ ଉଦ୍ଘାଟନ କରାଯାଇଥିଲା।ଉଦ୍ଘାଟନୀ ଅବସରରେ କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସନାତନ ବିଜୁଳି, ସଞ୍ଜଳୀ ମୁର୍ମୁ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରବୀଣ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ।ଆଜିର ପ୍ରଥମ ଦିନରେ ୮ଟି ସତ୍ରରେ ପ୍ରଶିକ୍ଷଣ ଆୟୋଜିତ ହୋଇଥିବା ବେଳେ ୬ ଜଣ ପ୍ରଶିକ୍ଷକ ବିଭିନ୍ନ ବିଷୟରେ ନିଜ ମତାମତ ଓ ଦିଗନିର୍ଦ୍ଦେଶ ରଖିଥିଲେ। ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ବୋଲି ଜଣାପଡ଼ିଛି।
