ବୌଦ୍ଧ ଜିଲ୍ଲାରେ +୨ ପରୀକ୍ଷାରେ ଛାତ୍ର ଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା l
ବୌଦ୍ଧ, ତା ୨୧/୦୫
ବୌଦ୍ଧ ଜିଲ୍ଲାର +୨ (CHSE) ପରୀକ୍ଷା–୨୦୨୬ ଫଳାଫଳ ପ୍ରକାଶ ପାଇଥିବା ବେଳେ ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରୁ ମୋଟ ୩୬୪୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୩୬୧୯ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୩୧୬୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସେହିପରି କଳା ବିଭାଗରେ ୩୪୫୮ ଜଣ ଫର୍ମ ପୂରଣ କରିଥିବା ବେଳେ ୩୪୩୪ ଜଣ ପରୀକ୍ଷା ଦେଇଥିଲେ ଏବଂ ୩୦୧୭ ଜଣ ଉତ୍ତୀର୍ଣ୍ଣ ହୋଇ ୮୭.୮୫ ପ୍ରତିଶତ ସଫଳତା ହାସଲ କରିଛନ୍ତି । ବାଣିଜ୍ୟ ବିଭାଗରେ ୧୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ୧୧ ଜଣ ଉତ୍ତୀର୍ଣ୍ଣ ହୋଇ ୧୦୦ ପ୍ରତିଶତ ଫଳାଫଳ ରହିଛି । ବିଜ୍ଞାନ ବିଭାଗରେ ୧୧୦ ଜଣ ପରୀକ୍ଷା ଦେଇଥିବା ବେଳେ ୮୬ ଜଣ ଉତ୍ତୀର୍ଣ୍ଣ ହୋଇ ୭୮.୧୮ ପ୍ରତିଶତ ସଫଳତା ମିଳିଛି । ଧନ୍ଧାମୂଳକ ଶିକ୍ଷା ବିଭାଗରେ ୬୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦ ଜଣ ଉତ୍ତୀର୍ଣ୍ଣ ହୋଇ ୭୮.୧୨ ପ୍ରତିଶତ ଫଳାଫଳ ରହିଛି ।
ଚଳିତ ବର୍ଷ କଳା ବିଭାଗରେ ବାଉଁସୁଣୀସ୍ଥିତ ମା ମହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସରୋଜିନୀ ମେହେର ୬୦୦ରୁ ୫୪୪ ନମ୍ବର ରଖି (୯୦.୬୬%) ଜିଲ୍ଲାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ ବିଭାଗରେ କଣ୍ଟାମାଳ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋତିଲାଲ ସାହୁ ୫୦୦ ନମ୍ବର (୮୩.୩୩%) ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ବାଣିଜ୍ୟ ବିଭାଗରେ ବୌଦ୍ଧ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସର୍ବନ କୁମାର ଗୁପ୍ତା ୪୧୭ ନମ୍ବର (୬୯.୫୦%) ରଖି ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଧନ୍ଧାମୂଳକ ଶିକ୍ଷା ବିଭାଗରେ ସେହି ବିଦ୍ୟାଳୟର ସୌମ୍ୟରଞ୍ଜନ ସ୍ୱାଇଁ ୩୮୭ ନମ୍ବର (୬୪.୫୦%) ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସମସ୍ତ ସଫଳ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।
