ମାଲକାନଗିରି -୨୧/୦୫/୨୦୨୬
(ସୁକୁମାର ମଣ୍ଡଳ)
ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ ମାଲକାନଗିରି ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡ଼କାମୀ।
ମାଲକାନଗିରି ଜିଲ୍ଲାର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଆଜି ଏକ ଖୁସିର ଲହରୀ ଖେଳିଯାଇଛି।କାରଣ ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ମାଲକାନଗିରି ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡ଼କାମୀ। ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରଠାରୁ ବିରୋଧୀ ଦଳର ସବୁବେଳେ ଗୋଟିଏ ଅଭିଯୋଗ ରହିଥିଲା ଯେ ଯେହେତୁ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି ସେଥିପାଇଁ ଜିଲ୍ଲାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହିଁ। ଆଜି ସେହି ଜଳ୍ପନା କଳ୍ପନାର ଅବସାନ ଘଟାଇ ସରକାର ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ମାଲକାନଗିରି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ରୂପେ ଶ୍ରୀଯୁକ୍ତ ନରସିଂହ ମାଡ଼କାମୀ ନିଯୁକ୍ତି ପାଇବା ପରେ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମାଲକାନଗିରି ଜିଲ୍ଲାର ସଦରମହକୁମା ଠାରେ ଏକ ବିରାଟ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ବହୁମାତ୍ରାରେ ଜନସାଧାରଣମାନେ ଆସି ଯୋଗ ଦେଇଥିଲେ।ଏହି ପଦଯାତ୍ରା ମାଲକାନଗିରି ଭୈରବ ମନ୍ଦିର ଠାରୁ ବାହାରି ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା।ଏହି ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ଶ୍ରୀଯୁକ୍ତ ନରସିଂହ ମାଡ଼କାମୀଙ୍କୁ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ଜିଲ୍ଲାର ସବୁ କ୍ଷେତ୍ରରେ ଜିଲ୍ଲାବାସୀ କିପରି ଉନ୍ନତି କରିପାରିବେ ସେଥିପାଇଁ ସେ ସବୁବେଳେ ଚେଷ୍ଟା କରିବେ। ଏହି ଅବସରରେ ଆମେ ଏସ ଡି ସି ଚେୟାରମେନ ଶ୍ରୀଯୁକ୍ତ ଗଙ୍ଗାଧର ସୋଡ଼ିଙ୍କୁ ଆଜିର ଏହି ସ୍ୱାଗତ ସମ୍ବର୍ଦ୍ଧନା ବିଷୟରେ ପଚାରିବାରୁ ସେ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ଯେହେତୁ ମାଲକାନଗିରି ଜିଲ୍ଲାରେ ଡବଲ ଇଞ୍ଜିନ ସରକାର କାର୍ଯ୍ୟରତ ତେଣୁ ମାଲକାନଗିରି ଜିଲ୍ଲାବାସୀ ଆଉ କୌଣସି ସୂଯୋଗ ସୁବିଧାରୁ ବଞ୍ଚିତ ହେବେ ନାହିଁ। ଯାହା ହେଉ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଡବଲ ଇଞ୍ଜିନ ସରକାରଙ୍କ ମାଲକାନଗିରି ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡ଼କାମୀ ଯୋଜନା ବୋର୍ଡ ଅଧ୍ୟକ୍ଷ ରୂପେ ନିଯୁକ୍ତ ହେବା ପରେ ଜିଲ୍ଲାବାସୀ କିପରି ସୂଯୋଗ ସୁବିଧା ଉପଭୋଗ କରୁଛନ୍ତି।
