ବ୍ରହ୍ମପୁରରେ ‘ପୋଷଣ ଓ ନିଶାମୁକ୍ତ ଭାରତ ଅଭିଯାନ’ ସଚେତନତା ଶିବିର
ବିଶାଳ ଶୋଭାଯାତ୍ରା, ବିଦ୍ୟାଳୟ ସ୍ତରରେ ସଚେତନତା,କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର
ଏକ ସୁସ୍ଥ ଶରୀର ଓ ନିଶାମୁକ୍ତ ସମାଜ ହିଁ ଦେଶର ଉନ୍ନତିର ମୂଳଦୁଆ
ବ୍ରହ୍ମପୁର, ତା.୨୮.୦୯.୨୦୨୬ରିଖ:ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ବ୍ରହ୍ମପୁର ଦ୍ୱାରା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶ୍ରୀବେଲେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ବେଲଗାଁ ପରିସରରେ ‘ପୋଷଣ ଅଭିଯାନ ଏବଂ ନିଶାମୁକ୍ତ ଭାରତ ଅଭିଯାନ’ ଅବସରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ସଚେତନତା ରାଲି ଅଞ୍ଚଳ ପରିକ୍ରମା କରିଥିଲା l ବିଭିନ୍ନ ସ୍ଲୋଗାନ୍ ଓ ପ୍ଲାକାର୍ଡ ପ୍ରଦର୍ଶନ ସହ ପୁଷ୍ଟିକର ଖାଦ୍ୟର ଗୁରୁତ୍ଵ ତଥା ଆବଶ୍ୟକତା ଏବଂ ନିଶାର କୁପରିଣାମ ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା l ଶୋଭାଯାତ୍ରା ପରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମ୍ବାଦ ଓ ଗଣ ଯୋଗାଯୋଗ ମୁଖ୍ଯ ଡକ୍ଟର ଜୟନ୍ତ କୁମାର ପଣ୍ଡା ଯୋଗଦେଇ ‘ଏକ ସୁସ୍ଥ ଶରୀର ଓ ନିଶାମୁକ୍ତ ସମାଜ ହିଁ ଦେଶର ଉନ୍ନତିର ମୂଳଦୁଆ’ ବୋଲି କହିଥିଲେ l ଛୋଟ ପିଲା ଏବଂ ମା’ ମାନଙ୍କ ପାଇଁ ସନ୍ତୁଳିତ ପୁଷ୍ଟିକର ଆହାରର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଯୁବପିଢ଼ି କିପରି ନିଶାଦ୍ରବ୍ୟଠାରୁ ଦୂରରେ ରହି ନିଜ ଭବିଷ୍ୟତ ଉଜ୍ଜ୍ବଳ କରିପାରିବେ, ସେ ଦିଗରେ ମାର୍ଗଦର୍ଶନ କରିଥିଲେ l ସମ୍ମାନିତ ଅତିଥି ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ଗୌଡ଼ ‘ ସମାଜରୁ କୁପୋଷଣ ଏବଂ ନିଶା କାରବାର ଭଳି ସାମାଜିକ ବ୍ୟାଧିକୁ ସଂପୂର୍ଣ୍ଣ ରୂପେ ଦୂର କରିବାକୁ ହେଲେ ସାଧାରଣ ଲୋକଙ୍କ ସକ୍ରିୟ ଭାଗିଦାରୀ ଅତ୍ୟନ୍ତ ଜରୁରୀ’ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥି ଭାବେ ଶ୍ରୀବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅମିତା ରାଣୀ ପଣ୍ଡା, କାର୍ଯ୍ୟକ୍ରମ ଅଧିକାରୀ, ଏନ୍ଏସ୍ଏସ୍ ଗଣେଶ ସାହୁ, ନର୍ମଦା ଷଡ଼ଙ୍ଗୀ, ସସ୍ମିତା ସାହୁ, ଅମିତା ରାଣୀ ପାଲ, ସୁନୀତା ରେଡ୍ଡୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ସମ୍ବନ୍ଧିତ ବିଷୟବସ୍ତୁ ଉପରେ ପୂର୍ବରୁ ଆୟୋଜିତ ବକ୍ତୃତା, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଜୀବନ କୁମାର ସାମନ୍ତ ସିଂହାର କେନ୍ଦ୍ରୀୟ ସଂଚ଼ାର ବ୍ୟୁରୋ, ବ୍ରହ୍ମପୁର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
