ଟାଟା ପାୱାର ବିଦ୍ୟୁତ୍ କର୍ମଚାରୀଙ୍କ କଳାବ୍ୟାଚ ପିନ୍ଧି ପ୍ରତିବାଦ। ରଘୁନାଥପୁର(ନି.ପ୍ର): ଟାଟା ପାୱାର କମ୍ପାନୀ ପକ୍ଷରୁ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବା ଠିକା ବିଦ୍ୟୁତ କର୍ମଚାରୀଙ୍କୁ ଛଟେଇ କରାଯିବା ନିର୍ଦେଶ ଆସିବା ପରେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବିଦୁତ ଡିଭିଜନ କର୍ମଚାରୀ ସଂଘର ସଂପାଦକଙ୍କ ଆହ୍ଵାନ କ୍ରମେ ଗୁରୁବାର ରଘୁନାଥପୁର ବିଦ୍ୟୁତ ସବଡିଭିଜନର କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି ଶୃଙ୍ଖଳାର ସହ ପ୍ରତିବାଦ କରିଥିଲେ। ଆସନ୍ତା ୨୦ ମେ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ କଳାବ୍ୟାଚ ପିନ୍ଧି ସାଧାରାଣ ଜନତାଙ୍କୁ ସେବା ଯୋଗାଇବେ। କମ୍ପାନୀ ଯଦି ତାର ନିଷ୍ପତ୍ତିରୁ ନିବୃତ ନରୁହେ ତାହାଲେ ମେ ୨୧ ତାରିଖରୁ କର୍ମଚାରୀମାନେ ଦୈନିକ ଅଧାଦିନ ଛୁଟିରେ ରହି କାର୍ଯ୍ୟ ଜାରି ରଖିବେ। ଏଥିରେ ସୁଫଳ ନମିଳିଲେ ବାଧ୍ୟ ହୋଇ ରାଜ୍ୟର ସମସ୍ତ କର୍ମଚାରୀମାନେ ମେ ୨୮ ତାରିଖରେ କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିବେ ବୋଲି ଜିଲ୍ଲା ସମ୍ପାଦକ ଅଦୈତ ନାୟକ ସୂଚନା ଦେଇଛନ୍ତି।ଏହାଛଡା ମେ ୨୯ ତାରିଖରୁ ସମସ୍ତ କର୍ମଚାରୀମାନେ ଡିଭିଜନ ଓ ସବଡିଭିଜନ ସ୍ତରରେ କାର୍ଯ୍ୟ ବନ୍ଦ କରି ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ଜିଲ୍ଲା ସମ୍ପାଦକ ନାୟକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କର୍ମଚାରୀଙ୍କ ପକ୍ଷରୁ ବିଧାୟକ,ଏମପି ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅବଗତ କରାଯାଇଛି ବୋଲି ରଘୁନାଥପୁର ସବାଡ଼ିଭିଜନ ବିଦୁତ କର୍ମଚାରୀ ସଂଘର ସଂପାଦକ ସମ୍ପଦ ଚୌଧୁରୀ ଓ ଜିଲ୍ଲା ସଙ୍ଗଠନ ସମ୍ପାଦକ ବିଜୟ କୁମାର ନାୟକ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଟାଟା ପାୱାରର କର୍ମଚାରୀ ମାରଣ ନୀତିକୁ ବନ୍ଦ କରି ହୃଦୟର ସହ ସେମାନଙ୍କ ପେଟପାଟଣା କଥା ଚିନ୍ତା କରନ୍ତୁ ବୋଲି କର୍ମକର୍ତ୍ତା ଦୀପକ କୁମାର ଜେନା,ତପନ ବାରିକ,ସହଦେବ ସାହୁ,ଚନ୍ଦ୍ରକାନ୍ତ ଦଳେଇ,ସଂଗ୍ରାମ ବିଶ୍ବାଳ,ଅଜୟ ମହାପାତ୍ର,କିଶୋର ଭୋଇ,ତନ୍ମୟ ଜେନା,ମନୋରଞ୍ଜନ ରଣା ଓ ଅମୂଲ୍ୟ ସ୍ବାଇଁ ପ୍ରମୁଖ ଅନୁରୋଧ କରିଛନ୍ତି।
