ଦୁର୍ନୀତି ଅଭିଯୋଗରେ ଧରାକୋଟ ଆବାସ ଯୋଜନା
ଟଙ୍କା ନଦେଲେ ମିଳୁନି ଆବାସ, ଦୁର୍ଦ୍ଦଶାରେ ହିତାଧିକାରୀ
“ମୁଣ୍ଡ ଉପରେ ରହିଛି ଭଙ୍ଗା ପ୍ରାଣ ଘାତି ଛାତ… ଭଙ୍ଗା ଘରେ ବିତୁଛି ଜୀବନ।
ସରକାରୀ ଆବାସ ପାଇଁ ଆଶା କରିଥିଲେ ଗରିବ ପରିବାର।
ହେଲେ ଅଭିଯୋଗ ହେଉଛି—ଘର ପାଇଁ ମଗାଗଲା ୧୫ ହଜାର ଟଙ୍କା!
ଟଙ୍କା ଦେଇପାରିଲେ ନାହିଁ, ତେଣୁ ମିଳିଲା ନାହିଁ ଆବାସ!”
ଏଭଳି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରୁ।
ଆବାସ ଯୋଜନାରେ ସତରେ କି ଚାଲିଛି ଟଙ୍କା କାରବାର?
କିଏ ମାଗିଥିଲା ଏହି ଟଙ୍କା?
ଏବଂ କାହିଁକି ଜଣେ ଯୋଗ୍ୟ ପରିବାର ଆଜି ବି ଭଙ୍ଗା ଘରେ ରହିବାକୁ ବାଧ୍ୟ?
ଆସନ୍ତୁ ଦେଖିବା ଏହି ରିପୋର୍ଟ..
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତର ବୋରିଗୁଡ଼ା ଗ୍ରାମରେ ଆବାସ ଯୋଜନାକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବା ପାଇଁ ଟଙ୍କା ଦାବି କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଗରିବ ଓ ଅସହାୟ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗାଦଦରା ଘରେ ଜୀବନ ବିତାଉଥିବା ଜଣାପଡ଼ିଛି।ବରିଗୁଡ଼ା ଗ୍ରାମର ପବିତ୍ର ମହାନ୍ତି, ତାଙ୍କ ପତ୍ନୀ ପ୍ରତିଭା ମହାନ୍ତି ଓ ପୁଅ ଦୀର୍ଘଦିନ ଧରି ଏକ ଜରାଜୀର୍ଣ୍ଣ ଘରେ ରହୁଛନ୍ତି। ଘରର ଅବସ୍ଥା ଏତେ ଶୋଚନୀୟ ଯେ, ଛାତ ପଡ଼ିଯିବା ଭୟରେ ପରିବାର ଲୋକେ ଆତଙ୍କିତ ହୋଇ ରହୁଥିବା ପ୍ରତିଭା କହିଛନ୍ତି। ବର୍ଷା ହେଲେ ଛାତରୁ ପାଣି ଗଳି ଘର ଭିତରେ ପାଣି ଜମିଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।ପ୍ରତିଭାଙ୍କ କହିବା ଅନୁସାରେ, ୨୦୨୫ ମସିହାରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ସର୍ଭେ ସମୟରେ ତାଙ୍କ ଘରର ସର୍ଭେ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନାମ ହିତାଧିକାରୀ ତାଲିକାରେ ସାମିଲ ହୋଇନଥିବା ସେ ଅଭିଯୋଗ କରିଛନ୍ତି।ଏହା ସହ ଆବାସ ଯୋଜନାରେ ଘର କରାଇଦେବା ପାଇଁ ତାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଥିବା ପ୍ରତିଭା ଅଭିଯୋଗ କରିଛନ୍ତି। ଗରିବ ପରିବାର ହୋଇଥିବାରୁ ସେ ଏହି ଟଙ୍କା ଦେଇପାରିନଥିଲେ। ଏହି କାରଣରୁ ତାଙ୍କୁ ଆବାସ ମିଳିନଥିବା ସେ କହିଛନ୍ତି।କେବଳ ପ୍ରତିଭା ନୁହେଁ, ଧରାକୋଟ ବ୍ଲକର ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅନ୍ୟମାନେ ଆବାସ ଯୋଜନାର ସୁବିଧା ପାଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ନେଇ ପ୍ରଶାସନର ପକ୍ଷ ଏଯାବତ୍ ସ୍ପଷ୍ଟ ହୋଇନାହିଁ।
ଧରାକୋଟରୁ ବାପୁନି ସେଠୀଙ୍କ ରିପୋର୍ଟ ଭଂଜଦୂତ ନିୟୁଜ୍ ।
