*ଖଡ଼ିଆଳ NAC ସମ୍ମୁଖରେ ପାଇପ୍ ଫାଟି ଜଳ ଅପଚୟ ପ୍ରଶାସନର ଉଦାସୀନତାକୁ ନେଇ ଅସନ୍ତୋଷ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୪/୦୫
ସ୍ଥାନୀୟ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) କାର୍ଯ୍ୟାଳୟ ସମ୍ମୁଖରେ ଏକ ମୁଖ୍ୟ ପାନୀୟ ଜଳ ଯୋଗାଣ ପାଇପ୍ ଫାଟି ପ୍ରବଳ ମାତ୍ରାରେ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ବିଗତ କିଛି ଦିନ ହେବ ଏହି ସ୍ଥାନରୁ ହଜାର ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ରାସ୍ତାରେ ବୋହି ନଷ୍ଟ ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ଜଳାବଦ୍ଧତା ସୃଷ୍ଟି ହେବା ସହ ରାସ୍ତାରେ ଯାତାୟାତ କରୁଥିବା ପଥଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବଢୁଛି ଜଳ ସଙ୍କଟ, ପ୍ରଶାସନ ନିଦାବିଷ୍ଣୁ
ଖରାଦିନେ ଅଞ୍ଚଳରେ ପାନୀୟ ଜଳ ପାଇଁ ହାହାକାର ପଡ଼ୁଥିବା ବେଳେ, NAC କାର୍ଯ୍ୟାଳୟ ଆଖି ଆଗରେ ଏଭଳି ଜଳ ଅପଚୟ ହେବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦାମାନେ ଏହି ସମସ୍ୟା ପ୍ରତି ପୌର ପ୍ରଶାସନ ଓ ଜଳ ଯୋଗାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ଅଧିକାରୀଙ୍କ ଏଭଳି ଉଦାସୀନ ମନୋଭାବ ଯୋଗୁଁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।
ଜନସାଧାରଣଙ୍କ ଦାବି ତୁରନ୍ତ ଏହି ଫାଟିଯାଇଥିବା ପାଇପ୍ର ମରାମତି କରାଯାଇ ଜଳ ଅପଚୟ ରୋକିବା ସହ ଅଞ୍ଚଳରେ ନିୟମିତ ଜଳ ଯୋଗାଣ ସ୍ଵାଭାବିକ କରିବାକୁ ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଜୋରଦାର ଦାବି କରିଛନ୍ତି। ଅନ୍ୟଥା ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି।
