ଗାଙ୍ଗପୁର ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଥାନା ଏବଂ ହାଜତ ବୁଲି ଦେଖିଲେ ଛାତ୍ରୀ
ବେଲଗୁଣ୍ଠା:୮/୫-(ଶିବରାମ ଚୌଧୁରୀ )-ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ‘ମହିଳା ଓ ଶିଶୁ ଅପରାଧ ଶାଖା’ ପକ୍ଷରୁ ଓଡ଼ିଶାର ସମସ୍ତ ଥାନାରେ ‘ଜୁଭେଣ୍ଟିକା’ ନାମକ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗାଙ୍ଗପୁର ଥାନା ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ। ଥାନାକୁ ଆସି ସେମାନଙ୍କୁ କିପରି ଅନୁଭବ ହେଉଛି, ପୋଲିସ କର୍ମଚାରୀଙ୍କ ବ୍ୟବହାର କିଭଳି ରହିଛି ଏବଂ ଆଜିର କାର୍ଯ୍ୟକ୍ରମରୁ ସେମାନେ କ’ଣ ଶିକ୍ଷା କଲେ, ସେ ସମ୍ପର୍କରେ ଡିଜି ପଚାରି ବୁଝିଥିଲେ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ସଚେତନତାଧର୍ମୀ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। କିଶୋର କିଶୋରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯକ୍ରମରେ ବିଶେଷ କରି ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ନ କରିବା, ନିଜର ଫଟୋ ଓ ବ୍ୟକ୍ତିଗତ ସୂଚନାର ଅପବ୍ୟବହାର ରୋକିବା, ଫେକ୍ ଆଇଡି ଜରିଆରେ ହେଉଥିବା ଠକେଇ, ଅଜାଣତରେ ଓଟିପି ଶେୟାର ନ କରିବା ଏବଂ ଅନଲାଇନ୍ ଠକେଇର ଶିକାର ହେଲେ କିମ୍ବା ଫୋନ୍ ମାଧ୍ୟମରେ ଡିଜିଟାଲ ଗିରଫର ଧମକ ମିଳିଲେ କୌଣସି ଦ୍ୱିଧା ନରଖି ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହା ସହିତ ୧୯୩୦ ଫୋନ୍ ନମ୍ୱର୍ କୁ କଲ୍ କରି କିଶୋରୀ ମାନେ ନିଜ ଅଭିଯୋଗ ଜଣାଇପାରିବେ ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା। ଏହି ଅବସରରେ ଗାଙ୍ଗପୁର ଥାନାରେ ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ସାରାଲତା ପ୍ରଧାନ,ଏସ. ଆଇ ବିନାୟକ ବିଧାର,ଏ ଏସ୍ ଆଇ ୱାବି ନାଇଡୁ,ସୁଜାତା ରାଣୀ ସେଠୀ,ସୋନାଲି ପ୍ରଧାନ,ହେମନ୍ତ ଦାସ , ଆଇସିଡିଏସ ସୂପରଭାଇଜର ପ୍ରଭାସିନୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ କିଶୋରୀ ବାଳିକା ଓ ଗାଙ୍ଗପୁର ସେକ୍ଟରର ସମସ୍ତ ଚାରିଜଣ ଅଙ୍ଗନବାଡି କର୍ମୀ,ଅଞ୍ଚଳର ବୁଦ୍ଧିଜୀବୀ, ଜନ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ମନରୁ ଥାନା ପ୍ରତି ଥିବା ନକାରାତ୍ମକ ଚିନ୍ତାଧାରା ଏବଂ ଭୟ ଦୂର କରିବା ପାଇଁ ସେମାନଙ୍କୁ ଥାନା ଅଧିକାରୀ ଶ୍ରୀମତୀ ପ୍ରଧାନ ଥାନା ପରିସର,କାର୍ଯ୍ୟାଳୟ ଏବଂ ହାଜତ ଆଦି ବୁଲାଇବା ସହିତ ଥାନା କର୍ମଚାରୀଙ୍କ ସହିତ ପରିଚିତ କରାଇଦେଇଥିଲେ। କାର୍ଯ୍ୟକ୍ରମରେ ଥାନା କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
