ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କଲା ରାଜ୍ୟ ବିଜେଡ଼ି ଟିମ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ଆଜି ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସଂଜୟ ଦାସବର୍ମାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପ୍ରତିନିଧି ଟିମ୍ ବାଲେଶ୍ୱର ଜିଲ୍ଲାର ସୋର ଓ ସିମୁଳିଆ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି। ସୋର ଓ ସିମୁଳିଆ ବ୍ଲକର ବନ୍ୟା ପ୍ଲାବିତ ଗାଁଗୁଡ଼ିକରେ ପହଞ୍ଚି ବିଜେଡି ଟିମ୍ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟା ଯୋଗୁଁ ବ୍ୟାପକ କ୍ଷତିଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ସମୁଚିତ ରିଲିଫ୍ ଓ ସହାୟତା ମିଳୁନଥିବା ନେଇ ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି। ଲୋକମାନେ ପାନୀୟ ଜଳ, ଶୁଖିଲା ଖାଦ୍ୟ ଓ ପଲିଥିନ୍ ପାଇଁ ହାହାକାର କରୁଥିବା ବେଳେ ସରକାରୀ ସହାୟତା ପହଞ୍ଚିବାରେ ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି। ବନ୍ୟା ବିପନ୍ନଙ୍କୁ ତୁରନ୍ତ ଆବଶ୍ୟକୀୟ ରିଲିଫ୍, ଚିକିତ୍ସା ସେବା ଓ କୃଷି ୠଣ ଛାଡ଼,କ୍ଷତିପୂରଣ ଯୋଗାଇ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ସରକାର ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଏହି ଟିମରେ ସୋର ବିଧାୟକ ମାଧବ ଧଡ଼ା, ଜିଲ୍ଲା ପରିଷଦ ଜୟରାମ ଦାସ, ସ୍ଥାନୀୟ ସରପଞ୍ଚ ଓ ଯୁବ ନେତା ଶୁଭେନ୍ଦୁ ମଙ୍ଗରାଜ ଉପସ୍ଥିତ ରହି ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ।
