
*ସରସରା ଗ୍ରାମରେ ସିନ୍ଦୁର ଶୋଭାଯାତ୍ରା,ଯୋଗଦେଲେ ମୁଖ୍ୟମନ୍ତ୍ରୀ
*ହଜାର ହଜାର ମହିଳା ତ୍ରିରଙ୍ଗା ପତାକା ଧରି କଲେ ପଞ୍ଚାୟତ ପରିକ୍ରମା
*ସିନ୍ଦୁର ଶୋଭାଯାତ୍ରା ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତିର ସଫଳତା
*ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଶକ୍ତିଙ୍କୁ ଦଣ୍ଡ ଦେବା ପାକିସ୍ତାନ ପାଇଁ ଥିଲା ଅକଳ୍ପନୀୟ, ଅବିଶ୍ଵସନୀୟ- ମୁଖ୍ୟମନ୍ତ୍ରୀ
ହରଭଙ୍ଗା:- ଅପରେସନ ସିନ୍ଦୁରରେ ଆମ ସେନା ବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି l ଆଜି କେବଳ ବୌଦ୍ଧ ନୁହେଁ ଭୁବନେଶ୍ୱର ନୁହେଁ, ଓଡ଼ିଶାର ପ୍ରତ୍ୟେକ ଗାଁ ରେ ଏହି ଅସୀମ ପରାକ୍ରମର ସିନ୍ଦୁର ଶୋଭାଯାତ୍ରା ହେଉଛି ଏବଂ ଏହା ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତିକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲାର ସରସରା ଗ୍ରାମ ଠାରେ ଆୟୋଜିତ ସିନ୍ଦୁର ଶୋଭାଯାତ୍ରାରେ କହିଛନ୍ତି l ସୂଚନା ଯୋଗ୍ୟ ଯେ, ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ମହିଳା ଯୋଗ ଦେଇ ହାତରେ ତ୍ରିରଙ୍ଗା ପତାକା ଧରି ଜୟ ହିନ୍ଦ, ଭାରତ ମାତା କି ଜୟ ଧ୍ୱନିରେ ଚାଲି ଚାଲି ଶୋଭାଯାତ୍ରା ସମ୍ପୂର୍ଣ୍ଣ କରିଥିଲେ l ମୁଖ୍ୟମନ୍ତ୍ରୀ ମଧ୍ଯ ଶୋଭାଯାତ୍ରାରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ l ଅପରେସନ ସିନ୍ଦୁର ଅନେକ ପ୍ରକାରେ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ l ପ୍ରଥମେ ୧୯୭୧ ପରେ ପାକିସ୍ତାନର ସୀମା ଭିତରେ ଏମିତି ପ୍ରଚଣ୍ଡ ଆକ୍ରମଣ କେବେ ହୋଇନଥିଲା l ପେହେଲଗାମ ଠାରୁ ମଧ୍ୟ ଅଧିକ ଭୟଙ୍କର ନରସଂହାର ମୁମ୍ବାଇରେ ହୋଇଥିଲା l ସୀମାପାର ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେଉଥିବା ଶକ୍ତିଙ୍କୁ ତାଙ୍କ ମାଟିରେ ଦଣ୍ଡ ଦେବା ପାକିସ୍ତାନ ପାଇଁ ଅକଳ୍ପନୀୟ ତଥା ଅବିଶ୍ଵସନୀୟ ଥିଲା l ଯଶସ୍ବୀ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି ଯେ ଭାରତରେ ଯେ କୌଣସି ଆତଙ୍କବଦୀ ଆକ୍ରମଣକୁ ଦେଶ ବିରୁଦ୍ଧରେ ଯୁଦ୍ଧ ପରି ଧରାଯିବ l ଆମ ସେନା ଆଗରୁ ବି ସମର୍ଥ ଥିଲା କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଅନେକ ଭାରତୀୟଙ୍କୁ ସେମାନଙ୍କ ଜୀବନ ଦେଇ ମୂଲ୍ୟ ଦେବାକୁ ପଡିଥିଲା l ଭାରତ ନିଜେ ଏପରି ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ପାଇଁ ସମର୍ଥ l ଆଜି ଆମେ ସମସ୍ତେ ଗର୍ବର ସହିତ କହି ପାରିବା ଯେ ଦେଶ ସୁରକ୍ଷିତ ହାତରେ ଅଛି କାରଣ ଦେଶର ସୁରକ୍ଷା ମାନନୀୟ ମୋଦୀ ଜୀଙ୍କ ହାତରେ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ l ଆଜି ଆପଣମାନଙ୍କ ଗହଣରେ ଏଭଳି ଏକ ବିରତ୍ୱଗାଥାର ଶୋଭାଯାତ୍ରାରେ ଯୋଗ ଦେଇ ଆମକୁ ସୁରକ୍ଷା ପ୍ରଦାନ କରୁଥିବା ବୀରଯବାନମାନଙ୍କ ସମ୍ମାନାର୍ଥେ ପ୍ରତ୍ୟେକ ନାଗରିକ ନିଜକୁ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ l ଦେଶର ସୁରକ୍ଷା ସହିତ ବିକାଶ ହିଁ ମୋଦି ଜୀଙ୍କ ମନ୍ତ୍ର l ଆମ ଦେଶ ବିଶ୍ଵର ସବୁଠାରୁ ଅଧିକ ହାରରେ ବୃଦ୍ଧି ହେଉଥିବା ଅର୍ଥନୀତି l ଅପରେସନର ସଫଳତା ଆମ ଦେଶର ସୁରକ୍ଷା ବଳକୁ ବିଶ୍ଵର ଏକ ଅଗ୍ରଣୀ ମିଲିଟାରୀ ଫୋର୍ସ ଭାବେ ପ୍ରତିପାଦନ କରିଛି, ଆମେ ସମସ୍ତେ ଏଥିପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ l ଉକ୍ତ ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ, ଯୁବ ସମାଜସେବୀ ପ୍ରେମାନନ୍ଦ ମିଶ୍ର, ବିକାଶ ଚନ୍ଦ୍ର ମହାକୁଳ, ଓମ ପ୍ରକାଶ ମିଶ୍ର, ରାକେଶ ତ୍ରିପାଠୀ, ସୁନୀଲ କ୍ଷେତି, ବାଲ୍ମୀକି ମହାକୁଡ଼, ସଂଗ୍ରାମ କେଶରୀ ବେହେରାଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ l