ବିଡ୍ରୀ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଚୋରି ଅଭିଯୋଗ l
————-
ନବରଙ୍ଗପୁର ବ୍ୟୁର ଭଞଦୂତ
ଦିନକୁ ଦିନ ରାଜ୍ୟରେ ବଢ଼ୁଛି, ଚୋରି ଡକାୟତି ଘଟଣା । ଲଗାତାର କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ମନ୍ଦିର ଚୋରିର ଖବର । ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ଅଞ୍ଚଳର ପ୍ରସିଦ୍ଧ ଶକ୍ତି ପୀଠ ବିଡ୍ରି ଠାକୁରାଣୀ ମନ୍ଦିରରୁ ହୋଇଛି ଲୁଟ୍ । ମନ୍ଦିରରୁ ବିଭିନ୍ନ ଅଳଙ୍କାର, ସାମଗ୍ରୀ ସହ ହୁଣ୍ଡି ଚୋରି ନେଇ ହୋଇଛି ଅଭିଯୋଗ । ଏନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଧୋଡ୍ରା ନିକଟ ପ୍ରସିଦ୍ଧ ମା ବିଡ୍ରି ଠାକୁରାଣୀ ମନ୍ଦିରରେ ତାଲା ଭାଙ୍ଗି ପଶିଥିଲେ କିଛି ଦୁର୍ବୃତ୍ତ ।
ମନ୍ଦିରରୁ ମାଙ୍କ ୧୫ଗୋଟି ରୁପା ମୁକୁଟ, ୪ ଟି ଛତ୍ରୀ, ବଡ଼ ପିତ୍ତଳ ଥାଳି ୩ଟି , ପିତ୍ତଳ ଢାଳ, ଠାକୁରାଣୀଙ୍କ ନିକଟରେ ଥିବା ଭକ୍ତଙ୍କ ପ୍ରାୟ ୫ ହଜାର ଦକ୍ଷିଣାଟଙ୍କା , ପିତ୍ତଳ ଘଣ୍ଟି , ମାଇକ ସେଟ ମେସିନ୍ ଏବଂ ମାଙ୍କ ବ୍ୟବହୃତ ଫାର୍ସା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏତଲା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରି ଦ୍ରବ୍ୟର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ ଏହା ଏକ ପ୍ରସିଦ୍ଧ ଶକ୍ତି ପୀଠ ହୋଇଥିବାରୁ ଧୋଡ୍ରା , ଉମରକୋଟ ତଥା ଆଖ ପାଖ ଅଞ୍ଚଳରେ ଭକ୍ତଙ୍କ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି ।
