ସାମ୍ବାଦିକଙ୍କ ସୁରକ୍ଷା ଓ ସହାୟତା ପାଇଁ ଦାବିପତ୍ର
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପଟ୍ଟଣା: ସାମ୍ବାଦିକଙ୍କ ସୁରକ୍ଷା, ପେନ୍ସନ ବ୍ୟବସ୍ଥା ଓ ସହାୟତା ସମ୍ବନ୍ଧୀୟ ଦାବି ନେଇ କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ଗତକାଲି ବିଭିନ୍ନ ଦାବି ସହିତ ଏକ ଜ୍ଞାପନ କଳାହାଣ୍ଡି ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଯାଇଛି।
କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ଅଧ୍ୟକ୍ଷ ବୀରଞ୍ଚି ନାରାୟଣ ଜାଲଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ଜ୍ଞାପନରେ ଉଲ୍ଲେଖ କରାଯାଇଛି ଯେ, ଭାରତର ଅଧିକାଂଶ ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ପେନ୍ସନ, ରିଆୟତୀ ଦରରେ ପରିବହନ ସୁବିଧା, ସାମ୍ବାଦିକ ସୁରକ୍ଷା ଆଇନ ମାଧ୍ୟମରେ ବୃତ୍ତିଗତ ସୁରକ୍ଷା ଭଳି ବିଭିନ୍ନ ଆର୍ଥିକ ଓ ସାମାଜିକ ସୁବିଧା ଦିଆଯାଉଛି।
କିନ୍ତୁ ଓଡିଶା ସରକାର ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ସାମ୍ବାଦିକମାନଙ୍କୁ ଆବଶ୍ୟକ ମୌଳିକ ସୁବିଧାରୁ ବଞ୍ଚିତ ରଖାଯାଇଛି। ଏହିକାରଣରୁ ଓଡିଶାର ସାମ୍ବାଦିକମାନଙ୍କୁ ମଧ୍ୟ ସମସ୍ତ ସୁବିଧା ଦେବାକୁ ଦାବି କରାଯାଇଛି।
ଏହି ଦାବିପତ୍ର ଦେବା ସମୟରେ ସାମ୍ବାଦିକ ଅଂଶୁମାନ ପାତ୍ର, କେଦୁ ପାଣି ମିଶ୍ର, ରାଜକୁମାର ସିଂହ ଦେଓ, ସ୍ୱାଧୀନ ପାତ୍ର, ଅଜିତ ସିଂହ, ମନମୋହନ ପ୍ରଧାନ, ଶୁଭମ ରୋହିଲ୍ଲା, ସନ୍ତୋଷ ସିଂହ ଦେଓ, ଦେବେନ୍ଦ୍ର ବେଶୀ ସହିତ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ।
