ପ୍ରଚଣ୍ଡ ଖରାରେ ଶିକ୍ଷାକୁ ନେଇ ବେପାର : ଛୁଟି ଘୋଷଣା ସତ୍ବେ ଜିଲ୍ଲାପାଳଙ୍କ ଆଦେଶକୁ ଫୁ କଲେ ଆବାସିକ କଲେଜ ମାଲିକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଟଙ୍କା ଲୋଭରେ ପିଲାମାନଙ୍କର ଜିବନ ସହ ଖେଳୁଛନ୍ତି ଆବାସିକ କଲେଜ। ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର,ଅଂଶୁଘାତର ଶିକାର ହେଲେ ସମର କୋର୍ସ ପିଲା, ମାଲିକ କହୁଛନ୍ତି ଏସିଡ ପାଇଁ ପିଲା ଅସୁସ୍ଥ। ଜିଲ୍ଲାପାଳଙ୍କ ଆଦେଶକୁ ବେଖାତିର କରି ସୋର କଲେଜ ଛକ ତଥା ଅନ୍ୟ ଜାଗାରେ ଥିବା ମେସ ମାଲିକ ମାନେ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ବିପଦରେ ପକାଉଥିବା ଜଣାପଡିଛି। ବିଭିନ୍ନ ମିଠାମିଠା କଥା କହି ଦଲାଲ ମାନଙ୍କ ମାଧ୍ୟମରେ ବିଭିନ୍ନ ଅଞ୍ଚଳରୁ ପିଲାମାନଙ୍କୁ ନିଜ ମେସରେ ସୁବିଧା ଯୋଗାଇବାର ପ୍ରତିଶୃତି ଦେଇ ଆଣୁଥିବା ବେଳେ ସୁବିଧା ବଦଳରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ମେସରେ ରହୁଥିବା ଛାତ୍ରଛାତ୍ରୀମାନେ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୋର ତହସିଲ ସମ୍ମୁଖରେ ଥିବା ମା ଭବାନୀ +୨ ବିଜ୍ଞାନ ଆବାସିକ କଲେଜରେ ଶତାଧିକ ପିଲା ରହୁଛନ୍ତି।ସେମାନଙ୍କ ମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ଆଜି ମଧ୍ୟାହ୍ନରେ ନିଶ୍ୱାସ ନେବାରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କଲେଜ କର୍ତ୍ତୁପକ୍ଷ ପିଲାମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କିଛି ପିଲାଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ କଲେଜର ମାଲିକ ବିଦୁ ପାତ୍ରଙ୍କୁ ପଚାରିବାରୁ ମାତ୍ର ୪-୫ ଜଣ ପିଲାଙ୍କୁ ଏସିଡ ହେବାରୁ ଡାକ୍ତରଖାନାକୁ ନେଇଥିଲୁ । ଏବେ ସେମାନେ ଭଲ ଥିବା କହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଚେଇଁ ଉଠିଥିଲେ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ମାଲିକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ତଥା ପୂର୍ବରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ଆଦେଶ ମୂଳେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିବା ବେଳେ ସୋରରେ ମା ଭବାନୀ +୨ ବିଜ୍ଞାନ ଆବାସିକ କଲେଜ କାହା ଛତ୍ର ଛାୟା ତଳେ ସରକାରଙ୍କ ନିୟମକୁ ବେଖାତିର କରି ଶିକ୍ଷା ନାରେ ଅଭିଭାବକଙ୍କୁ ସମର କୋର୍ସ କରାଇବାକୁ କହି ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଭୁଲି ବେପାର କରୁଛି। କେବେ ଜିଲ୍ଲା ପ୍ରଶାସନ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା।
