ଧର୍ମଶାଳା ଷ୍ଟାଡିଅମ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଯାଜପୁର, ୨୦।୦୪।(ଭଞ୍ଜଦୂତ:ସରୋଜ କୁମାର ଧଳ:ନିପ୍ର ) ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଧର୍ମଶାଳା ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମୋଟ ୬୦ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୨୫ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୦୧ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୩୪ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୩୪ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପ ଆରକ୍ଷୀ ଅଧିକ୍ଷକ, ଯାଜପୁର ରୋଡ ଶ୍ରୀ ଶରତ ଚନ୍ଦ୍ର ପାତ୍ର, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଯୁଧିଷ୍ଠିର ନାଏକ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଧର୍ମଶାଳା ଶ୍ରୀ ଜ୍ୟୋତିର୍ମୟ କର, ତହସିଲଦାର , ଧର୍ମଶାଳା ଶ୍ରୀ ସମୀର ରଞ୍ଜନ ଦାଶ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
