ବରଗଡ଼ର ଝିଅ ତନିଷା ଅଗ୍ରୱାଲ ହେଲେ ଜିଲ୍ଲାର ପ୍ରଥମ ମହିଳା ପାଇଲଟ୍
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ଇଣ୍ଡିଗୋ ଏୟାରଲାଇନ୍ସରେ ପାଇଲଟ୍ ଭାବେ ଯୋଗଦାନ, ଲସ୍ ଆଞ୍ଜେଲସ୍ରେ ନେଇଥିଲେ ପ୍ରଶିକ୍ଷଣ
ବରଗଡ଼: ବରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ। ବରଗଡ଼ର ପ୍ରତିଭାବାନ ଝିଅ କ୍ୟାପ୍ଟେନ୍ ତନିଷା ଅଗ୍ରୱାଲ ଜିଲ୍ଲାର ପ୍ରଥମ ମହିଳା ପାଇଲଟ୍ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଦେଶର ପ୍ରତିଷ୍ଠିତ ବିମାନ ସେବା କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସରେ ପାଇଲଟ୍ ଭାବେ ନିଜର ନୂଆ କ୍ୟାରିୟର ଆରମ୍ଭ କରିଛନ୍ତି।
ତନିଷା ବରଗଡ଼ର ପ୍ରତିଷ୍ଠିତ ସମାଜସେବୀ ଫୁଲଚନ୍ଦ ଅଗ୍ରୱାଲଙ୍କ ପୁତ୍ର ମନୋଜ ଅଗ୍ରୱାଲ (କାଣ୍ଟାପାଲିଆ)ଙ୍କ ସୁପୁତ୍ରୀ। ସେ ଆମେରିକାର ଲସ୍ ଆଞ୍ଜେଲସ୍ରେ ପାଇଲଟ୍ ପ୍ରଶିକ୍ଷଣ ଗ୍ରହଣ କରି ନିଜର ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି।
ତନିଷାଙ୍କ ଏହି ଉପଲବ୍ଧିରେ ସମଗ୍ର ବରଗଡ଼ ଓ ଅଗ୍ରୱାଲ ସମାଜରେ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି ହୋଇଛି। ତାଙ୍କ ସଫଳତା ଯୁବପିଢ଼ି, ବିଶେଷକରି ଝିଅମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
ତନିଷାଙ୍କ ନାନାଘର ସମ୍ବଲପୁରର ଏକ ପ୍ରତିଷ୍ଠିତ ପରିବାର ସହ ସମ୍ପୃକ୍ତ। ସେ ସମ୍ବଲପୁର ନିବାସୀ ତଥା ଅଖିଳ ଭାରତୀୟ ମାରୱାଡ଼ୀ ସମ୍ମେଳନର ପୂର୍ବତନ ଜାତୀୟ ଉପାଧ୍ୟକ୍ଷ ଶ୍ରୀ ଅଶୋକ ଜାଲାନଙ୍କ ଭାଇଝିଅଙ୍କ କନ୍ୟା।
ତନିଷାଙ୍କ ଏହି ଗୌରବମୟ ସଫଳତା ପାଇଁ ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ମେଳନର ପ୍ରାଦେଶିକ ଅଧ୍ୟକ୍ଷ ଡା. ସୁଭାଷ ଚନ୍ଦ୍ର ଅଗ୍ରୱାଲ, ପ୍ରାଦେଶିକ ମହାସଚିବ କିଶନ ଲାଲ ଅଗ୍ରୱାଲ, ନିବର୍ତ୍ତମାନ ପ୍ରାଦେଶିକ ଅଧ୍ୟକ୍ଷ ଦିନେଶ ଅଗ୍ରୱାଲଙ୍କ ସମେତ ସମାଜର ବହୁ ବ୍ୟକ୍ତି ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ ବିମାନ ଚାଳନା କ୍ୟାରିୟର ପାଇଁ ଶୁଭକାମନା ଜଣାଇଛନ୍ତି।
