ମହା ବିଷୁବ ସଂକ୍ରାନ୍ତି ଅବସରରେ ଦେବଗଡ଼ରେ ହନୁମାନ ଜୟନ୍ତୀ ଧୁମଧାମରେ ପାଳିତ
ଦେବଗଡ଼: ପବିତ୍ର ମହା ବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ଚୈତି ପର୍ବର ମୁଖ୍ୟ ଦିନ ଅବସରରେ ଭଗବାନ ଶ୍ରୀରାମଙ୍କ ଅନନ୍ୟ ଭକ୍ତ ପ୍ରଭୁ ହନୁମାନଙ୍କ ଜୟନ୍ତୀ ଦେଶବ୍ୟାପୀ ଭାବେ ଭକ୍ତି ଓ ଆନନ୍ଦର ସହ ପାଳନ କରାଯାଇଥାଏ। ଏହି ପବିତ୍ର ଅବସରରେ ଦେବଗଡ଼ ର ଗୋପାଳଜୀ ମନ୍ଦିରରେ ମଧ୍ୟ ହନୁମାନ ଜୟନ୍ତୀ ଉତ୍ସବ ଆଡ଼ମ୍ବର ସହ ପାଳିତ ହୋଇଥିଲା।
ସକାଳୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ପହଞ୍ଚି ପ୍ରଭୁ ହନୁମାନଙ୍କ ମଣ୍ଡପକୁ ସୁନ୍ଦର ଭାବେ ସଜାଇଥିଲେ। ପରେ ଧୂପ, ଦୀପ ଓ ନୈବେଦ୍ୟ ସହ ପୂଜାର୍ଚ୍ଚନା କରାଯାଇଥିଲା। ଭକ୍ତମାନେ ସମୁହିକ ଭାବେ ହନୁମାନ ଚାଳିଶା ପାଠ କରି ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।
ବିଶେଷ ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ସମୟରେ ଠାକୁରଙ୍କ ଏକ ସୁସଜ୍ଜିତ ରଥ ପ୍ରସ୍ତୁତ କରାଯାଇ ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାରର ନୃତ୍ୟ, ଗୀତ, ଲାଠି ଓ ଖଣ୍ଡା ଚାଳନା ପ୍ରଦର୍ଶନ ହୋଇଥିଲା, ଯାହା ଉପସ୍ଥିତ ଲୋକଙ୍କୁ ଆକର୍ଷିତ କରିଥିଲା।
ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭୀଡ଼ ଦେଖିବାକୁ ମିଳିଥିଲା ଓ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
