ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ନାରୀଶକ୍ତି ବନ୍ଦନା ଅଭିଯାନ
ଭବାନୀପାଟଣା, ୧୫/୪ (କିଶନ ଶର୍ମା)- ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ନେଇ ନାରୀଶକ୍ତି ବନ୍ଦନା ଅଭିଯାନ ଆରମ୍ଭ ହୋଇଯାଇଅଛି। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ନାରୀଶକ୍ତି ବନ୍ଦନାର ଶପଥ ପାଠ କରିବା ସହିତ ନାରୀ ପ୍ରତି ସୁରକ୍ଷା, ସମ୍ମାନ ଓ ଯତ୍ନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ରୀମାନେ ନିଜସ୍ୱ ଅନୁଭୁତିରୁ ବକ୍ତବ୍ୟ ଉପସ୍ଥାପନା କରିଥିବା ବେଳେ ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ନାରୀ ସଶକ୍ତିକରଣ ଓ ଭାରତର ପରମ୍ପରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ନାରୀଶକ୍ତି ସମାଜର ବିକଳ୍ପହିନ ଅଙ୍ଗ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ ନାରୀଶକ୍ତି ସମ୍ପର୍କୀତ ଏକ ପ୍ରେରଣାଦାୟୀ ସଂଗୀତ ଗାନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ଦାଶ ନାରୀଶକ୍ତି ସାଂପ୍ରତିକ ସମୟରେ ସୁସ୍ଥ ସମାଜ ଗଠନ ପାଇଁ ଅପରିହାର୍ଯ୍ୟ ଅଙ୍ଗ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ନାରୀଶକ୍ତିକୁ ନେଇ ଝୋଟି ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା, ବୀରତ୍ୱ କୌଶଳ ପ୍ରଦର୍ଶନ, ନାରୀ ଜାଗରଣ ସଂପର୍କୀତ ସ୍ଲୋଗାନ୍, ପାରମ୍ପାରିକ ଏକକ ନୃତ୍ୟ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା। ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସହଯୋଗ କରିଥିଲେ।
