ରେଢ଼ାଖୋଲରେ ମହା ସମାରୋହରେ ହନୁମାନ ଜୟନ୍ତୀ ପାଳିତ।
# ହନୁମାନ ଜୟନ୍ତୀରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ସହର।
ରେଢ଼ାଖୋଲ ୧୩.୦୪(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ହନୁମାନ ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ ସୋମବାର ଦିନ ମହା ସମାରୋହରେ ମହାବୀର ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ କମିଟିର ସଭାପତି ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଥମତଃ ସକାଳ ସମୟରେ ନୂଆଁସାହି ସ୍ଥିତ ହନୁମାନ ମନ୍ଦିରରେ ଧ୍ୱଜା ସ୍ଥାପନ କରାଯାଇଥିଲା। ତା ପରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ, ପାଇକ ଆଖଡ଼ା, ପାରମ୍ପରିକ ଆଦିବାସୀ ନୃତ୍ୟ ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମାରେ ବାହାରି ସହରର ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର, କଳିନ୍ଦର ଠାରୁ ବାହାରି ଖଣ୍ଡାଢିପ, ନୁଆସାହି, କଇଥସାହି, ଆମ୍ବେଦକର ନଗର, ସନ୍ଥକବି ଭୀମଭୋଇଙ୍କ ନାମରେ ନାମିତ ଭୀମଭୋଇ ଛକ ଠାରେ ପହଞ୍ଚି କମିଟିର ମୁଖ୍ୟ ଉପଦେଷ୍ଠା ଦେବେନ୍ଦ୍ର ମହାପାତ୍ର ଉପସ୍ଥିତିରେ ଏକ ମହା ଆଳତି ଅନୁଷ୍ଠିତ ହୋଇଥିଲା। ସେଠାରୁ ରଥସାହି, ଯଦୁମଣିପାଟଣା ଦେଇ କଲେଜ ଛକରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଅତ୍ୟାଧୁନିକ ମେଢ଼ ସାଜସଜ୍ଜା, ବାଦ୍ୟ, ଆତସବାଜି ରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଶ ପଟେଲ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମିତ୍ରଭାନୁ ପ୍ରଧାନ, ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ରମେଶ ପ୍ରଧାନ, ରେଢ଼ାଖୋଲ ନଗର ସଭାପତି ସୁଷମା ମୁଣ୍ଡା ପ୍ରମୁଖ ସମେତ ଅନ୍ୟ ପଦାଧିକାରୀ, କାର୍ଯ୍ୟକର୍ତ୍ତା, ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସାମିଲ ରହିଥିଲେ।
