ବିଜେଡିର ପୂରୁଣା ଗଡ଼ରେ ପୁରୁଣା ନେତା ଓ କର୍ମୀଙ୍କ ବନ୍ଧୁ ମିଳନ।
ରଘୁନାଥପୁର(ନି.ପ୍ର): ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଓ ତିର୍ତ୍ତୋଲ ବିଧାୟକ ଙ୍କ ବେଇମାନ କାର୍ଯ୍ୟକଳାପ ରେ ରଘୁନାଥପୁର ବ୍ଲକ ବିଜେଡି କର୍ମୀ ଙ୍କ ମନୋବଳ କୁ ସୁଦୃଢୀକରଣ କରିବା ପାଇଁ ଏକ ବନ୍ଧୁ ମିଳନ ଶିବିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୌତମ ପାଲିତ୍ ଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି। ରଘୁନାଥପୁର ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ନୀତି ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସଙ୍ଘୀୟ ବ୍ୟବସ୍ଥା ମଧ୍ୟରେ ରହି କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହାଛଡା ତୃଣମୂଳ ସ୍ତରରେ ଥିବା ଜନତାଙ୍କ ନିକଟତର ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବାପାଇଁ କର୍ମକର୍ତ୍ତାଙ୍କୁ ଆହ୍ଵାନ କରିଥିଲେ।ସେହିପରି ଶାସନାଧୀନ ସରକାରଙ୍କ ବିଗତ ଦୁଇବର୍ଷ ଶାସନକାଳ ମଧ୍ୟରେ ଜନତା କିପରି ମାନସିକ ସ୍ତରରେ ଅଣନିଃଶ୍ବାସୀ ହୋଇ ପଡିଲେଣି ସେ ସମ୍ପର୍କରେ ବକ୍ତବ୍ୟ ରଖି କ୍ଷୋଭ ପ୍ରକାଶ କରିଥିଲେ। ଏହି ମିଳନ ଉତ୍ସବରେ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଯୋଗଦେଇ ବୁଥ ଦାୟୀତ୍ୱରେ ଥିବା ସଂଯୋଜକମାନଙ୍କୁ ବୁଥ ପରିଚାଳନା ଓ ଜନସଂପର୍କ ବାବଦରେ ସୂଚନା ଦେଇଥିଲେ।ଏହାଛଡା ପ୍ରତ୍ୟେକ ଜନହିତକର କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଏସଏଚଜି ମହିଳାଙ୍କୁ ସଂଗଠିତ କରି ଦଳୀୟ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ନାୟକ ପରାମର୍ଶ ଦେଇଥିଲେ।ଏଥିରେ ଅନ୍ୟତମ ଅତିଥି ଭାବେ କଟକ ସଦର ବ୍ଲକ ପୂର୍ବତନ ଅଧକ୍ଷ ସତ୍ୟ ଜେନା, ରଘୁନାଥପୁର ବ୍ଲକର ପୂର୍ବତନ ଅଧକ୍ଷ ରଜତ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ମହିଳା ସଭାନେତ୍ରୀ ଶାନ୍ତିଲତା ଦ୍ୱିବେଦୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ରନାଥ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ମଲ୍ଲିକ, ରୀନାରାଣୀ ମଲ୍ଲିକ, ଛାତ୍ର ସମ୍ପାଦକ ରାଜେଶ ମିଶ୍ର, ତାରାକାନ୍ତ ଜେନା, ସୁଧା ବିଶ୍ଵାଳ, ଅନ୍ତର୍ଯ୍ୟାମୀ ରାଉତ ଓ ଭାସ୍କର ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବ୍ଲକ ଯୁବ ସଭାପତି ଜୋସେଫ ସ୍ବାଇଁ ଅତିଥି ମାନଙ୍କ ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ପାତ୍ର ଧନ୍ୟବାଦ ଦେଇଥିଲେ।
