ଏମଡିଏମ ପାଚିକା ସହାୟିକା ସଂଘ ପକ୍ଷରୁ ବିଭିନ୍ନ ଦାବିରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ
ଗୋଷ୍ଠୀ ଶିକ୍ଷାଧିକାରୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
ଲାଞ୍ଜିଗଡ,:(କିଶନ ଶର୍ମା)-୧୩/୪: ଲାଞ୍ଜିଗଡ ବ୍ଲକ ଏମଡିଏମ ପାଚିକା ସହାୟିକା ସଂଘ ପକ୍ଷରୁ ସର୍ବନିମ୍ନ ମଜୁରୀ ଓ ନ୍ୟାର୍ଯ୍ୟ ଅଧିକାର ଦାବିରେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ I ନିଖିଳ ଓଡ଼ିଶା ଏମଡିଏମ ପାଚିକା ସହାୟିକା ସଂଘ ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେରଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I ସେଥି ମଧ୍ୟରୁ ଦାବି ସମୂହ ଗୁଡିକ ହେଲା ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ମାସିକ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ,ପାଚିକାମାନଙ୍କୁ ୧୦ମାସର ପରିବର୍ତ୍ତେ ୧୨ମାସର ପାରିଶ୍ରମିକ ପ୍ରଦାନ କରାଯାଉ । ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମକରିଥିବା ସମସ୍ତ ପାଚିକା ସହାୟିକାଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ମୃତକଙ୍କ ଉତ୍ତରାଧିକାରୀଙ୍କୁ ଓ ଅବସରପ୍ରାପ୍ତ ପାଚିକାଙ୍କୁ ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରାଯାଉ। ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ଦିଆଯାଉ। ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଦିଆଯାଉ। ଅବସରକାଳୀନ ବୟସସୀମା ୬୫କୁ ବୃଦ୍ଧି କରିବା ସହିତ ୬୦ ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ କରାଯାଉ। ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରାଯାଉ। ମଧ୍ୟାହ୍ନ ଭୋଜନ କାମ ବ୍ୟତିତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରାଯାଉ।ପାଚିକା ମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରାଯାଉ। ମଧ୍ୟାହ୍ନ ଭୋଜନ ଯୋଜନାକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରାଯାଉ। ପାଚିକାମାନଙ୍କ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରାଯାଉ। ଅବସରକାଳୀନ ସହଯୋଗ ରାଶିକୁ ୫୦ ହଜାର ଟଙ୍କା କରାଯାଉ। ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରାଯାଉ। ପାଚିକା ସହାୟିକାଙ୍କ ନିଯୁକ୍ତି ପ୍ରଣାଳୀ – ଗୋଷ୍ଠି ଶିକ୍ଷା ଅଧୂଳାରୀଙ୍କ ଜରିଆରେ କରାଯାଉ। ପାଚିକା ସହାୟିକାଙ୍କ ଅବସର ଓ ମୃତ୍ୟୁ ପରେ ନିଜ ଭତ୍ତରାଧୁକାରୀଙ୍କୁ ସୁଯୋଗ ଦିଆଯାଉ। ପାଚିକା ସହାୟିକାଙ୍କ କାର୍ଯ୍ୟରତ ସମୟରେ ଦୁର୍ଘଟଣା ଘଟିଲେ ତାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରି ନେଇ ଦାବି ପତ୍ର ଉଲ୍ଲେଖ ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ସଭାଗୃହ ଅହଲ୍ୟା ପ୍ରଧାନୀ, ସମ୍ପାଦିକା ଶ୍ରୀମତୀ ପ୍ରଧାନୀ, କୋଷାଧ୍ୟକ୍ଷ ବିରଞ୍ଚି ବିଶି, କାର୍ଯ୍ୟକାରୀ କମିଟି ସଦସ୍ୟ ମଞ୍ଜୁଲା ରାଉତ, ବ୍ଲକ କମିଟି ଲକ୍ଷ୍ମୀ ପାତ୍ର ,ଲତା ଗଉଡ, ଯମୁନା ଚନ୍ଦନ, ଶୈଳସୁତା ପ୍ରଧାନୀ, ସାଗରିକା ପେସନିଆ, ମିନତି ପାତ୍ର, ଭବାନୀ ପୂଝାରୀ ବୈଦେହି ହରିଜନ, ହେମଲତା ବେହେରା, ବାସନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
