
ବାଦ, ବିବାଦ ପରେ ବଦଳିଲେ ଥାନା ଅଧିକାରୀ, ସୁରକ୍ଷା ଅପେକ୍ଷା ଟଙ୍କା ଆଦାୟ ବଡ଼ ଥିଲା।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଗତ ତିନି ବର୍ଷରେ ଲୋକଙ୍କ ଜୀବନ ସୁରକ୍ଷା ଅପେକ୍ଷା ଟଙ୍କା ଆଦାୟ ପାଇଁ ବେଶି ସୁନାମ ଅର୍ଜନ କରିଥିବା ବେଳେ ଚୋରି, ରାହାଜାନି, ଲୁଟ୍ ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା। ଦୀର୍ଘ ୩ ବର୍ଷ ପରେ ବର୍ତ୍ତମାନ ବଦଳି ହୋଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଥାନାରେ ଯୋଗଦେଇ ଥାନାକୁ ସଜାଡି ଲୋକ ମାନଙ୍କୁ ସୁରକ୍ଷା ଦେବା ଅପେକ୍ଷା କିଛି ଦଲାଲ ମାନଙ୍କୁ ହାତ କରି ମାଲ୍ ସଂଗ୍ରହ କରିବାରେ ବ୍ୟସ୍ତ ରହିଗଲେ, ଯାହା ଫଳରେ ଲୋକ ମାନଙ୍କୁ ନ୍ୟାୟ ମିଳିପାରିଲା ନାହିଁ ବରଂ ଅପରାଧିକ ସଂଖ୍ୟା ବଢିବାରେ ଲାଗିବା ସହିତ କଟକ ପାରାଦୀପ୍ ରାସ୍ତାରେ ଥୁଆ ହୋଇଥିବା ଭାରିଯାନ ଇତ୍ୟାଦିରୁ ସଦା ସର୍ବଦା ତେଲ ଚୋରି , ରାହାଜାନି ବଢ଼ିବାରେ ଲାଗିଲା। ଥାନା ଅଧିକାରୀ ଙ୍କ ଏଭଳି ମନୋଭାବ ସବୁ ଦେଖି ଅପରାଧିଙ୍କ ସଂଖ୍ୟା ବଢିବା ସହିତ ଲୁଟ, ଛିନତାଇ ବଢିବାରେ ଲାଗିଲା। ଶ୍ରୀ ସେଠୀଙ୍କ ସମୟରେ ମାମଲା ଯେତିକି ରୁଜୁ ହୋଇଛି, ସେତିକି ଅନୁପାତରେ କାଉଣ୍ଟର ଏତଲା ବି ରୁଜୁ ହେବା ସହିତ ବହୁ ଲୋକ ମାନଙ୍କ ଏତଲାକୁ ଷ୍ଟେସନ ଡାଇରୀ କରି ଥୋଇଦେବା ରେ ସକ୍ଷମ ହୋଇଛନ୍ତି। ଶ୍ରୀ ସେଠୀଙ୍କ ବଦଳି କୁ ନେଇ କେତେକ ରାଜନୈତିକ ବ୍ୟକ୍ତିବିଶେଷ ଖୁସି ମନାଇଥିବାବେଳେ ଆଉ କେତେଜଣ ବୁଦ୍ଧିଜୀବୀ ରଘୁନାଥପୁର ଥାନା କେବେ ଦଲାଲ ରାଜ ମୁକ୍ତ ହେବ ଓ ଚାଟୁକାର ସାଜି ଦାନ୍ତ ଦେଖାଇ ବଟି ଆଦାୟ କରୁଥିବା କିଛି ବ୍ୟକ୍ତି ଥାନା ପରିସରକୁ ଯିବା ବନ୍ଦ ହେବ ସେ ନେଇ ବି ଚିନ୍ତା ପ୍ରକଟ କରିଛନ୍ତି। ରଘୁନାଥପୁର ଥାନା ଅଧିକାରୀ ଭାବେ କୁଜଙ୍ଗ ଥାନାରୁ ଆସିଥିବା ପ୍ରେମଜିତ ଦାସ ଜଣେ ଦକ୍ଷ ପୋଲିସ ଭାବେ ସୁନାମ ଥିବାରୁ ଏହି ଥାନାରେ ରହିଥିବା କିଛି ଅସାଧୁ ପୋଲିସ ଅଧିକାରୀ ଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓ ପଇସା ଖୋର ଙ୍କ ବଦଳି କେବେ ହେଉଛି ସେ ନେଇ ବୁଦ୍ଧିଜୀବୀ ମହଲ ପକ୍ଷରୁ ଦାବି ବି ହୋଇଛି ।
