*ନୂଆପଡାରେ ରାଜସ୍ୱ ସମୀକ୍ଷା ବୈଠକ: ସୁବାସ ଚନ୍ଦ୍ର ଦୀପଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର* ’
ନୂଆପଡା(ମିଖାଏଲ ନନ୍ଦ)
ତା. ୦୭/୦୩:
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ବିଭିନ୍ନ ବିଭାଗର ରାଜସ୍ୱ ସଂଗ୍ରହ ଓ ପ୍ରଗତିର ସମୀକ୍ଷା କରାଯାଇଥିଲା।ସମୀକ୍ଷା ଅନୁସାରେ, ସି.ଟି. ଏବଂ ଜି.ଏସ.ଟି. ଇନଫୋର୍ସମେଣ୍ଟ ୟୁନିଟ୍ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ୪୫୬ ଲକ୍ଷ ଟଙ୍କା ବାର୍ଷିକ ଲକ୍ଷ୍ୟ ବାବଦରେ ମାର୍ଚ୍ଚ-୨୦୨୬ ପର୍ଯ୍ୟନ୍ତ ୩୩୩ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। ମାର୍ଚ୍ଚ ମାସର ୩୮ ଲକ୍ଷ ଟଙ୍କା ଲକ୍ଷ୍ୟ ଥିଲାବେଳେ ୫୧ ଲକ୍ଷ ଟଙ୍କା ସଂଗ୍ରହ ହୋଇ ଲକ୍ଷ୍ୟ ଅତିକ୍ରମ କରାଯାଇଛି।ଏହାସହ ଆର୍.ଟି.ଓ., ନୂଆପଡା ପକ୍ଷରୁ ୧୬.୫୦ କୋଟି ଟଙ୍କା ବାର୍ଷିକ ଲକ୍ଷ୍ୟ ଥିବାବେଳେ ମାର୍ଚ୍ଚ-୨୦୨୬ ପର୍ଯ୍ୟନ୍ତ ୧୫.୯୩ କୋଟି ଟଙ୍କା ସଂଗ୍ରହ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ ୧୩.୫୯ ପ୍ରତିଶତ ବୃଦ୍ଧି ଦର୍ଶାଉଛି।ରେଜିଷ୍ଟ୍ରେସନ୍ ଓ ଷ୍ଟାମ୍ପ ଶୁଳ୍କ ସଂଗ୍ରହରେ ମଧ୍ୟ ସନ୍ତୋଷଜନକ ପ୍ରଗତି ଦେଖାଯାଇଥିବା ବେଳେ ମାସିକ ଓ ବାର୍ଷିକ ଲକ୍ଷ୍ୟ ବାବଦରେ ଉଲ୍ଲେଖନୀୟ ସଂଗ୍ରହ ହୋଇଥିବା ସମୀକ୍ଷାରେ ଉଲ୍ଲେଖ କରାଯାଇଥିଲା।ଜିଲ୍ଲାପାଳ ରାଜସ୍ୱ ସଂଗ୍ରହରେ ପଛରେ ପଡ଼ିଥିବା ବିଭାଗମାନଙ୍କୁ ଯଥୋଚିତ ରଣନୀତି ଗ୍ରହଣ କରି ଲକ୍ଷ୍ୟ ପୂରଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାସିକ ସମୀକ୍ଷାକୁ ଗୁରୁତ୍ୱ ଦେଇ ସଂଗ୍ରହ ବୃଦ୍ଧି ପାଇଁ ସମନ୍ୱୟ ଭାବେ କାର୍ଯ୍ୟ କରିବାକୁ କହିଥିଲେ।ବୈଠକରେ ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ , ଅଜିଜ ଖାନ, ବନଖଣ୍ଡ ଅଧିକାରୀ, ବନ୍ୟପ୍ରାଣୀ, ସମୀର କୁମାର ସାହୁ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ଡେପୁଟୀ ଜିଲ୍ଲାପାଳ ସୁଚିଶ୍ମିତା ମହାନ୍ତି, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ନିଜ ନିଜ ବିଭାଗର ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ।ଏହି ଅବସରରେ ସିନାପାଳି ବ୍ଲକର ସୁବାସ ଚନ୍ଦ୍ର ଦୀପଙ୍କୁ ବିଭିନ୍ନ ରାଜସ୍ୱ ବିଭାଗ କାମରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ “ରାଜସ୍ୱ ମିତ୍ର ପୁରସ୍କାର” ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
