ଗ୍ୟାସ କଳାବଜାରୀଙ୍କ ଉପରେ ଯୋଗାଣ ବିଭାଗର ଚଢ଼ାଉ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଗ୍ୟାସ ସିଲିଣ୍ଡର ର ସଙ୍କଟ ଥିବା ବେଳେ କଳାବଜାରୀ ମାନେ ଏହାର ଫାଇଦା ଉଠାଇ ଲୋକମାନଙ୍କୁ ଠକୁଥିବା ନେଇ ବାଲେଶ୍ୱର ଜିଲ୍ଲା ସୋରରୁ ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ବାଲେଶ୍ୱର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୋରରେ ଚଢ଼ାଉ କରାଯାଇଛି। ସୁଚନା ମୁତାବକ ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଯୋଗଣ ଅଧିକାରୀ ବୁଦ୍ଧଦେବ ଜେନା,ସହାୟକ ଯୋଗାଣ ଅଧିକାରିଣୀ ଯଶୋଦା ସିଂ,ସୋର ଯୋଗାଣ ନିରୀକ୍ଷକ ଦେବାଶିଷ କର ସଦର ଯୋଗାଣ ନିରୀକ୍ଷକ ସୁଶାନ୍ତ କୁମାର ସାହୁ ଏକ ଟିମ ସହ ବେଲଦା ଛକ ନିକଟରେ ଥିବା ମହାନ୍ତି ଗ୍ୟାସ ଏଜେନ୍ସିରେ ଅଚାନକ ଚଢ଼ାଉ କରି ସେଠାରୁ ୧୬ଟି ଗ୍ୟାସ ଟାଙ୍କି ଓ ସୋର ପୌରାଞ୍ଚଳ ଇଟୁଆ ଗ୍ରାମର ଭବାନୀଶଙ୍କର ନନ୍ଦଙ୍କ ଘରେ ଚଢ଼ାଉ କରି ୧୪ଟି ଗ୍ୟାସ ଟାଙ୍କି ଜବତ କରିଥିଲେ। କଳାବଜାରୀଙ୍କ ଉପରେ ଏହି ଚଢ଼ାଉ ଆଗାମୀ ଦିନରେ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୁଚନା ମିଳିଛି।
