*ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ*
*ଶୁଭାରମ୍ଭ ହେଲା ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ-୨୦୨୬*
*ଫୋଟଚିତ୍ର ପ୍ରଦର୍ଶନୀ ଓ ସମ୍ବଲପୁରୀ ଚିତ୍ରକଳା ହେଲା ଆକର୍ଷଣର କେନ୍ଦ୍ର ବିନ୍ଦୁ*
ବରଗଡ଼,: ୦୧.୦୪.(ନି, ପ୍ର )ବରଗଡ଼ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ “ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ” ମହାଆଡମ୍ବର ସହକାରେ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ଉପସ୍ଥିତ ରହି ବରଗଡ଼ ପୌର ପରିଷଦ ଆନୁକୂଲ୍ୟରେ ପ୍ରାରମ୍ଭ ହୋଇଥିବା ‘ସମର୍ପଣ’ ସ୍ଵଚ୍ଛତା ଅଭିଯାନ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ବିଦ୍ୟାଳୟ ଛାତ୍ରଛାତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଗାନ୍ଧିଛକ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସଫା କରିଥିଲେ ।
ଏହାପରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ମଧ୍ୟରେ ଓଡ଼ିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସ୍ମରଣ କରିବା ଉଦେଶ୍ୟରେ ଏକ ସାଧାରଣ ସଭା ଓ ଫୋଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନିତ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବରପୁତ୍ରମାନଙ୍କ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ତଥା ଫୋଟ ଚିତ୍ର ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ । ସଭା ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଓଡିଶାର ସମସ୍ତ ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରି କୃତଜ୍ଞତାର ଶ୍ରଦ୍ଧାଞ୍ଜଳି ଦେବାପରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଏତଦବ୍ୟତୀତ ସମସ୍ତେ ଅତିଥି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଭାଷାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ସ୍ତରରେ ଭବ୍ୟତାର ସହ ପାଳନ ହେବାକୁ ଥିବା ‘ଓଡ଼ିଆ ପକ୍ଷ-୨୦୨୬’ର ଶୁଭାରମ୍ଭ କରିଥିଲେ ।
ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ଗୋୟଲ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ସ୍ୱାଧୀନ ପୂର୍ବ ଭାରତ ବର୍ଷରେ ଭାଷା ଭିତ୍ତିକ ଏକ ରାଜ୍ୟ ଗଠନ ତଥା ଗୋଟିଏ ପଟେ ଦେଶର ସ୍ୱାଧୀନତା ଲାଗି ଲଢ଼େଇ ଓ ତାରି ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ଏବଂ ମାତୃଭାଷା ସୁରକ୍ଷା ପାଇଁ ହୋଇଥିବା ବଡ଼ ସଂଗ୍ରାମରେ ଆମ ମହାନ ବରପୁତ୍ର ମାନେ କିଭଳି ସଂଘର୍ଷ କରି ଆମକୁ ଏହି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ବା ଓଡିଶା ରାଜ୍ୟ ଉପହାର ଦେଇଥିଲେ । ତେଣୁ ବିକଶିତ ବରଗଡ଼, ବିକଶିତ ଓଡିଶା ଗଠନ ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିବା ସହ ବରଗଡ ଜିଲ୍ଲା ତଥା ଆମ ରାଜ୍ୟର ବିକାଶଧାରା ଉପରେ ଆଲୋଚନା କରି ଯୁବପିଢ଼ି, ଛାତ୍ରୀଛାତ୍ରଙ୍କୁ ପାଠ ପଢି ଭଲ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ ।
ଏହାପରରେ ସମସ୍ତ ସମ୍ମାନିତ ଅତିଥି ନିଜ ବକ୍ତବ୍ୟରେ ନିଜ ମାତୃଭାଷା’ ଓଡ଼ିଆକୁ ଭଲ ପାଇବା ତଥା ତାର ସୁରକ୍ଷା ଓ ବିକାଶ ଦିଗରେ ଚେଷ୍ଟା କରିବା ବିଧେୟ ବୋଲି କହିବା ସହ ଆମ ଉନ୍ନତି ପାଇଁ ଜିଲ୍ଲାର ସମସ୍ତ ମହାମନୀଷୀଙ୍କ ପଥ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ସହ
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ରମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ଵତନ୍ତ୍ର ରାଜ୍ୟ ଭାବେ କଳା, ସଂସ୍କୃତି ଓ ପରମ୍ପରା ବିଶ୍ବରେ ନିଜର ପରିଚୟ ସୃଷ୍ଟି କରିଛି, ଏହାକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ସମସ୍ତଙ୍କ ଦାୟିତ୍ଵ ରହିଛି । ଜଣେ ଦାୟିତ୍ଵବାନ ନାଗରିକ ଭାବେ ଜିଲ୍ଲାର ଉନ୍ନତି ପାଇଁ ଚଷ୍ଟା କରିବା ସହ ଆମ ଜିଲ୍ଲାର ଜନ୍ମ ଦିନରେ କିଛି ଉପହାର ଦେବା କହିଥିଲେ।
ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସମେତ ଜିଲ୍ଲାର ଉତ୍ତମ ବୁଣାକାର, ସଫଳ ଚାଷୀ, କଳାକାର, ସ୍ୱଚ୍ଛ ସାଥି ଏବଂ ବାଲ ଧନୁଯାତ୍ରାର କଂସ ଭିମିକାରେ ଅଭିନୟ କରୁଥିବା ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଖୋସ୍ଲା ସଭାକୁ ପରିଚାଳନା କରିଥିଲେ।
ଏହାପରେ ସମସ୍ତେ ଗାନ୍ଧୀଛକ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ଵଭାଵ କବି ଗଙ୍ଗାଧର ମେହେର, ଘରୋଇ ବସଷ୍ଟାଣ୍ଡ ନିକଟସ୍ଥ ପଶ୍ଚିମ ଓଡ଼ିଶାର ମଦର ଟେରେସା ତଥା ବହ୍ନି କନ୍ୟା ସ୍ୱର୍ଗତ ପାର୍ବତୀ ଗିରି, କଚେରୀ ପରିଷରରେ ସ୍ଥିତ ଡ. ଭୀମ ରାଓ ଆମ୍ବେଦକର ଏବଂ ବୀର ସୁରେନ୍ଦ୍ର ସାଏ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମେତ ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗାନ୍ଧିଛକ ଠାରି ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରିଥିଲେ।
