ରାୟଗଡ଼ ସଦର ବ୍ଳକ ରେ ବିକଶିତ ଓଡିଶା ନିମନ୍ତେ ବିକଶିତ ଗ୍ରାମ କାର୍ଯ୍ୟକ୍ରମ |
☆ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟ ଉନ୍ନୟନ ଅଧିକାରୀ
ରାୟଗଡ଼
☆ ପ୍ରାୟ ଏକ କୋଟି ଟଙ୍କାର ପ୍ରକଳ୍ପର ଅନୁମତି
ରାୟଗଡ଼ (ରମେଶ ଅଗ୍ରୱାଲ.:ନିପ୍ର) 25.3.2026
ଜିଲ୍ଲାରେ ବିକାଶର ସୁଅ ଛୁଟିବାରେ ଲାଗିଛି | ବିକଶିତ ଓଡିଶା ଗଠନ ନିମନ୍ତେ ଜିଲ୍ଲାକୁ ବିକଶିତ କରିବାର ସଂକଳ୍ପ ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଭା ପ୍ର ସେ, ଦୁର୍ଗମ ଅଞ୍ଚଳ ଗସ୍ତ କରିବା ସହ ଲୋକଙ୍କ ସହ ଭେଟି, ସମସ୍ୟା ଗୁଡିକୁ ଯଥାଶୀଘ୍ର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଉଛନ୍ତି | ଅପରପକ୍ଷେ, ଜିଲ୍ଲା ଅଧିକାରୀଙ୍କୁ ସୀମାନ୍ତ ଅଞ୍ଚଳ ସମେତ ପ୍ରତି ଦୁର୍ଗମ ଅଞ୍ଚଳ ଗସ୍ତ କରି ଭିତ୍ତିଭୂମିର ବିକାଶ ସହ ଅଭିନବ ପ୍ରକଳ୍ପ ଗୁଡିକର ରୂପାୟନ ନିମନ୍ତେ ଗୁରୁତ୍ଵ ଆରୋପ କରିଛନ୍ତି |
ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ରାୟଗଡ଼ ସଦର ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି | ପୂର୍ବାହ୍ନରେ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଦୁର୍ଗାପାଡୁ ଗ୍ରାମ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଗୁଡିକର ପରିଦର୍ଶନ କରିଥିଲେ | ଦୁର୍ଗାପାଡୁ ଜଳପ୍ରପାତ ପରିଦର୍ଶନରେ ଅନେକ ପର୍ଯ୍ୟଟକ ଆସୁଥିବାରୁ ତାହାର ପାରିପାର୍ଶ୍ଵିକ ବିକାଶ ନିମନ୍ତେ ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନା ମାଧ୍ୟମରେ 2025-26 ଆର୍ଥିକ ବର୍ଷରେ ଚାଳିଶ ଲକ୍ଷ୍ୟ ଟଙ୍କା ସହ ଜଳ ସଞ୍ଚୟ-ଜନ ଭାଗୀଦାରୀ ଯୋଜନାରେ ଜିଲ୍ଲାକୁ ପ୍ରାପ୍ତ ପୁରସ୍କାର ରାଶିରୁ ପନ୍ଦର ଲକ୍ଷ୍ୟ ଟଙ୍କା ବିନିଯୋଗରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ନିମନ୍ତେ ପ୍ରସ୍ତାବ ଆହ୍ଵାନ କରିଥିଲେ | ସେହିପରି ବୈରାଗୀ ହାଲୁଆ ଗ୍ରାମ ପଞ୍ଚାୟତ ପରିଦର୍ଶନ ସମୟରେ ବୈରାଗୀ ହାଲୁଆ ଜଳ ପ୍ରପାତ ଓ ପର୍ଯ୍ୟଟନ ସ୍ଥଳର ବିକାଶ ନିମନ୍ତେ ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନା ମାଧ୍ୟମରେ 2025-26 ଆର୍ଥିକ ବର୍ଷରେ ଚାଳିଶ ଲକ୍ଷ୍ୟ ଟଙ୍କା ବିନିଯୋଗ କରିବା ପାଇଁ ଅନୁମୋଦନ ଦେଇଛନ୍ତି | ସେହିପରି ବୈରାଗୀ ହାଲୁଆ ଠାରେ ନିର୍ମାଣାଧୀନ ଜଳ ପ୍ରକ୍ରିୟାକରଣ ଶିଳ୍ପ ପରିଦର୍ଶନ କରିଥିଲେ | ଏହା ଶୀଘ୍ର କାର୍ଯ୍ୟକ୍ଷମ ହେବ ଯାହା ସ୍ଥାନୀୟ ଛଅ ଗୋଟି ଗ୍ରାମ ପଞ୍ଚାୟତର ଅଣ ତିରିଶି ଗୋଟି ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଣରେ ସହାୟକ ହୋଇପାରିବ, ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଲାରେ ବିକାଶର ଅନେକ ସମ୍ଭାବନା ରହିଛି | ବିକଶିତ ଭାରତ ଗଠନ ନିମନ୍ତେ ଗ୍ରାମ୍ୟ ସ୍ତରରେ ଏହାର ଯୋଜନା ପ୍ରସ୍ତୁତି, କାର୍ଯ୍ୟକ୍ଷମ ଓ ସୁପରିଚାଳନାର ଆବଶ୍ୟକତା ରହିଛିବୋଲି ଶ୍ରୀ ଖେମୁଣ୍ଡୁ କହିଛନ୍ତି |
ପରିଦର୍ଶନ ସମୟରେ ରାୟଗଡ଼ ବିଡିଓ ସୁଜିତ କୁମାର ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ରଥ , ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ, ସରପଞ୍ଚ, ସମିତି ସଭ୍ଯ ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ପ୍ରମୂଖ ଉପସ୍ଥିତ ଥିଲେ |
