
ବସ୍ତା:-
ଶନିବାର ସନ୍ଧ୍ୟାରେ ଜିଲାରେ ହୋଇଥିବା କାଳବୈଶାଖୀ ଝଡ଼ବତାସ ଯୋଗୁ ବସ୍ତା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବସ୍ତା ବ୍ଲକ୍ ଭେଲୋରା ପଞ୍ଚାୟତ ଅନ୍ତର୍ଗତ ଚଣ୍ଡୀପୁର ଗ୍ରାମର ଏକ ଘର ଉପରେ ବିଶାଳକାୟ ବର ଗଛ ପଡ଼ି ଲକ୍ଷେରୁ ଉର୍ଦ୍ଧ୍ବ ଟଙ୍କାର କ୍ଷୟକ୍ଷତି ଘଟିଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ପବନ ବୋହିବାରୁ ଚଣ୍ଡୀପୁର ଗ୍ରାମର ପଦୁ ହାସଦା ଘର ପାଖରେ ଥିବା ୫୦୦ ବର୍ଷରୁ ଉର୍ଦ୍ଧ୍ବ ଏକ ବିଶାଳକାୟ ବର ଗଛଟିର ଗୋଟିଏ ଡାଳ ଭାଙ୍ଗିଯାଇ ତାଙ୍କ ଚାଳ ଛପର ଘର ଉପରକୁ ପଡ଼ିଯାଇଥିଲା।ଫଳରେ ଘରଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ ଘରେ ଶୋଇଥିବା ତିନି ପୁଅ ଓ ସ୍ତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଙ୍କର ମଧ୍ୟମ ପୁତ୍ର ଚିଣ୍ଟୁ ହାସଦା (୧୧) ଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ହେବା ସହ ଘରର ବାସନ କୁସନ ସହ ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିଲା ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରତାପ ପାଲଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାର ପ୍ରମୋଦ କୁମାର ନାଏକଙ୍କ ନେତୃତ୍ବରେ ଗଛଟିକୁ କାଟି ସଫା କରାଯାଇଥିଲା। ଉକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ରାଶି ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ